ଗୁଟଖା ଓ ତମାଖୁ ସେବନ କର୍କଟ ସୃଷ୍ଟି କରି ଦ୍ରୁତ ଗତିରେ ଜୀବନ ନଷ୍ଟ କରୁଛି । ଏଥିରେ ଥିବା ବିଷାକ୍ତ ନିକୋଟିନ ଓ ରାସାୟନିକ ପଦାର୍ଥ ମୁଖ, ଗଳା ଓ ଫୁସଫୁସ କର୍କଟର ମୁଖ୍ୟ କାରଣ । ଓଡ଼ିଶାରେ ଏହାର କୁପ୍ରଭାବ ଯୁବପୀଢ଼ିଙ୍କୁ ଅଧିକ ଗ୍ରାସ କରୁଥିବାରୁ ଏହା ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି । ବିଧାନସଭାରୁ ତମାଖୁ ସେବନ ଏବଂ କର୍କଟରେ ମୃତ୍ୟୁ ସମ୍ପର୍କିତ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଗତ ୧୦ ବର୍ଷରେ ଗୁଟଖା ନେଇଛି ୩ ଜହାର ୧୫୭ ଜଣଙ୍କ ଅମୂଲ୍ୟ ଜୀବନ । ତେବେ ରାଜ୍ୟର ୧୯ଟି ଆଦିବାସୀ ବହୁଳ ଜିଲ୍ଲା ଗୁଡିକରେ ଏହା ମୁଖ୍ୟ ସମସ୍ୟା ରହିଛି ।
ରାଜ୍ୟରେ ମୁଖ କର୍କଟ ସାଜିଛି ମୁଣ୍ଡ ବିନ୍ଧାର କାରଣ । ରାଜ୍ୟରେ ତମାଖୁ ନେଲାଣି ୩ ହଜାରରୁ ଅଧିକ ମୁଣ୍ଡ । ଗତ ୧୦ ବର୍ଷର ରାଜ୍ୟ ସରକାରଙ୍କ ତଥ୍ୟ ଅତ୍ୟନ୍ତ ଉଦବେଗଜନକ । ବିଧାନସଭାରେ କଂଗ୍ରେସ ବିଧାୟକ ପବିତ୍ର ସାଉଁନ୍ତାଙ୍କ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, “ରାଜ୍ୟରେ ଗୁଟଖା ଓ ତମାଖୁ ଜନିତ ପଦାର୍ଥ ବ୍ୟବହାର ଫଳରେ ୧୦ ବର୍ଷରେ କେବଳ ମୁଖ କର୍କଟରେ ୩ ହଜାର ୧୫୭ ଲୋକ ମୃତ୍ୟୁବରଣ କରିଛନ୍ତି । ଗୁଟଖା ଏବଂ ତମାଖୁ ଜନିତ ପଦାର୍ଥର ନିୟନ୍ତ୍ରଣ କରିବା ପାଇଁ ସିଗାରେଟ୍ ଓ ଅନ୍ୟାନ୍ୟ ତମାଖୁ ଜାତୀୟ ଦ୍ରବ୍ୟ ନିୟନ୍ତ୍ରଣ ଅଧିନିୟମ, ୨୦୦୩ ଦ୍ବାରା ସର୍ବସାଧାରଣ ଧୂମପାନ ଏବଂ ୧୮ ବର୍ଷରୁ କମ ବୟସର ବ୍ୟକ୍ତି ଏବଂ ଶିକ୍ଷା ଅନିଷ୍ଠାନର ୧୦୦ ଗଜ ଦୂରତା ମଧ୍ୟରେ ତମାଖୁ ବିକ୍ରୟକୁ ବାରଣ କରାଯାଇଛି ।”
ସ୍ୱାସ୍ଥ୍ୟମନ୍ତ୍ରୀ ପୁଣି କହିଛନ୍ତି, “ବିଗତ ୧୦ ବର୍ଷରେ ୬୨ ହଜାର ୫୪୨ ଜଣ ଉଲଂଘନକାରୀଙ୍କଠାରୁ ୮ କୋଟି ୩୪ ଲକ୍ଷ ୫୨ ହଜାର ୫୫୨ ଟଙ୍କା ଫାଇନ ଆଦାୟ କରାଯାଇଛି । ଧୂଆଁ ବିହୀନ ତମାଖୁକୁ ବନ୍ଦ କରାଯିବା ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ଜାନୁଆରୀ ୨୧ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ।”
୨୦୧୩ ମସିହାରେ ରାଜ୍ୟ ସରକାର ତମାଖୁ ଓ ନିକୋଟିନ ଉତ୍ପାଦ ବିକ୍ରିକୁ ରାଜ୍ୟରେ ନିଷିଦ୍ଧ କରିଥିଲେ । ଓଡିଶାରେ ୪୨ ପ୍ରତିଶତରୁ ଅଧିକ ବୟସ୍କ ଧୂଆଁ ବିହୀନ ତମାଖୁ ବ୍ୟବହାର କରୁଛନ୍ତି । ଯାହା ଜାତୀୟ ହାରରୁ ପାଖାପାଖି ଦୁଇ ଗୁଣ ଅଧିକ । ରାଜ୍ୟରେ ଦୁଇଟି ତମାଖୁ ଜାତୀୟ ଉତ୍ପାଦ ସର୍ବାଧିକ ବ୍ୟବହୃତ ହେଉଛୁ । ଓଡିଶାରେ ଖଇନି ବ୍ୟବହାର କରୁଥିବା ବୟସ୍କଙ୍କ ମଧ୍ୟରୁ ୧୬.୯ ପ୍ରତିଶତ ପୁରୁଷ ଏବଂ ୧୪.୯ ପ୍ରତିଶତ ମହିଳା ରହିଛନ୍ତି ।
