Odia News Portal

ପଦ୍ମପୁର ଉପ ନିର୍ବାଚନରେ ୧୦ ପ୍ରାର୍ଥୀ: ମାଓ ପ୍ରଭାବିତ ଅଞ୍ଚଳରେ ୭୪ ବୁଥ୍‌

ପଦ୍ମପୁର ଉପନିର୍ବାଚନ ପାଇଁ ୧୦ ପ୍ରାର୍ଥୀ ମୈଦାନରେ ଅଛନ୍ତି । ଏହାବ୍ୟତୀତ ମାଓ ପ୍ରଭାବିତ ଅଞ୍ଚଳରେ ୭୪ ବୁଥ୍ ଥିବା ବେଳେ ୭୮ ବୁଥ୍‌କୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ଗଣମାଧ୍ୟମକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ ଲୋହାନୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପଦ୍ମପୁର ଉପ ନିର୍ବାଚନ ପାଇଁ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ଯାଞ୍ଚ ସରିବା ପରେ ଦୁଇ ସ୍ୱାଧୀନ ପ୍ରାର୍ଥୀ ଜୟନ୍ତ ଥପ୍ପା ଓ ଦେବବ୍ରତ ସୁନାନୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିଲା । ଏବେ ଜଣେ ସ୍ୱାଧୀନ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାରୁ ପଦ୍ମପୁର ଉପନିର୍ବାଚନରେ ଚୂଡ଼ାନ୍ତ ତାଲିକାରେ ୧୦ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ । କିଛି ମତଦାନ କେନ୍ଦ୍ରର ନା ପରିବର୍ତ୍ତନ ହୋଇଥିଲେ ହେଁ ସ୍ଥାନ ସମାନ ରହିଛି । ମୋଟ୍ ୩୧୯ ମତଦାନ କେନ୍ଦ୍ରରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର୍ ଭୋଟ୍ ଦେବେ ।

ମେସାନଙ୍କ ମଧ୍ୟରୁ ପୁରୁଷ ଭୋଟର୍‌ଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୭ ଓ ମହିଳା ଭୋଟର୍‌ଙ୍କ ସଂଖ୍ୟା ୧ଲକ୍ଷ ୨୭ ହଜାର ୫୬୫ । ପୋଲିଂ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ସରିବା ପରେ ପ୍ରଥମ ପର୍ଯ୍ୟାୟ ତାଲିମ ଦିଆଯାଇଛି । ନିର୍ବାଚନ ଦିନକୁ ସବୈତନିକ ଛୁଟି ଘୋଷଣା କରାଯାଇଛି ବୋଲି ସିଇଓ ସ୍ପଷ୍ଟ କରିଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳୀର ୭୪ ବୁଥ୍ ମାଓ ପ୍ରଭାବିତ ଅଞ୍ଚଳରେ ଥିବା ବେଳେ ୭୮ଟି ବୁଥ୍‌କୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ଆଇନଶୃଙ୍ଖଳା ରକ୍ଷା ପାଇଁ ମୋଟ୍ ୪୧ ପ୍ଲାଟୁନ ଫୋର୍ସ ସହ ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ । ୫୦% ବୁଥରେ ହେବ ୱେବ କାଷ୍ଟିଙ୍ଗ୍ । ୯୮ ଜଣ ମାଇକ୍ରୋ ଅବଜର୍‌ଭର ମୁତୟନ ହେବେ । ନିର୍ବାଚନ ପରିଚାଳନା ପାଇଁ ୩ ଅବଜରଭର ରହିବେ । ବେଆଇନ ଭାବେ ଲାଗିଥିବା ୨୦୫୮ ପୋଷ୍ଟର୍ ବ୍ୟାନର କଢ଼ାଯାଇଛି । ୧୦୪ ଜଣଙ୍କ ଏନ୍‌ବିଡବୁ୍‌ô୍ୟ ବାହାର କରାଯାଇଛି । ଅବକାରୀ ବିଭାଗ ପକ୍ଷରୁ ୧୧୪ ମାମଲା ରୁଜୁ କରାଯାଇଛି । ୭୪ ଜଣଙ୍କୁ ଗିରଫ୍ କରାଯାଇଛି । ୬୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ୍ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।