ବୋଇତ ବନ୍ଦାଣ ଓ ବାଲିଯାତ୍ରା ଏକ ପର୍ବ ନୁହେଁ। ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବମାନଙ୍କ ଦୁଃସାହସିକ ମନୋବଳର ପ୍ରତୀକ। ଧୈର୍ଯ୍ୟ ଓ ସାହସ ସହିତ ନୂଆ ଶିଖର ଛୁଇଁବାର ପରମ୍ପରା ଆଜି ବି ଓଡ଼ିଆଙ୍କୁ ପ୍ରେରଣା ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପାରାଦୀପ ବନ୍ଦର ବୋଇତ ବନ୍ଦାଣ ଉତ୍ସବରେ ପତ୍ନୀଙ୍କ ସହ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶାର ପ୍ରଗତିରେ ପାରାଦୀପ ବନ୍ଦରର ଅଗ୍ରଣୀ ଭୂମିକା ରହିଛି। ଏହା ଭାରତର ସର୍ବଶ୍ରେଷ୍ଠ ବୃହତ୍ ବନ୍ଦର ଭାବେ ପରିଚିତ ହୋଇଛି। ୨୦୧୫ ମସିହାରେ ଏହି ବନ୍ଦରର ପଣ୍ୟ ପରିବହନ କ୍ଷମତା ୭୧ ନିୟୁତ ମେଟ୍ରିକ ଟନ୍ ଥିଲା। ଯାହା ବଢ଼ି ୨୦୨୫ରେ ୧୫୦ ନିୟୁତ ମେଟ୍ରିକ ଟନ୍ରେ ପହଞ୍ଚିଛି। ପାରାଦୀପ ବନ୍ଦର ଆଧୁନିକ ଓଡ଼ିଶାର ପ୍ରଗତିର ଦ୍ୱାର, ଅର୍ଥନୀତିର କୋଣାର୍କ। ‘ମାରିଟାଇମ୍ ଇଣ୍ଡିଆ ଭିଜନ୍-୨୦୩୦’ ଅନୁସାରେ ବାର୍ଷିକ ୩୦୦ ନିୟୁତ ଟନ୍ ଓ ‘ବିକଶିତ ଭାରତ-୨୦୪୭’ ଯୋଜନା ଅନୁଯାୟୀ ୫୦୦ ନିୟୁତ ଟନ୍ ପଣ୍ୟ ପରିବହନ କ୍ଷମତା ସହିତ ପାରାଦୀପ ବନ୍ଦରକୁ ଏକ ମେଗା ପୋର୍ଟ ଭାବେ ଗଢ଼ାଯିବ ବୋଲି ସେ ଘୋଷଣା କରିଛନ୍ତି। ସେ କହିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱରେ ଭାରତ ନୌବାଣିଜ୍ୟରେ ନୂତନ ଯୁଗକୁ ପ୍ରବେଶ କରିଛି ଓ ‘ମାରିଟାଇମ୍ ଅମୃତକାଲ୍ ଭିଜନ୍ ୨୦୪୭’ ଅନୁଯାୟୀ ଦେଶର ବନ୍ଦରମାନେ ବିଶ୍ୱସ୍ତରୀୟ ହେବେ।ବନ୍ଦର ଅଧ୍ୟକ୍ଷ ପି.ଏଲ୍. ହରନାଦ କହିଥିଲେ, ଗତ ୪ ବର୍ଷ ଧରି ନୂଆନୂଆ ରେକର୍ଡ କରି ଚାଲିଛି ପାରାଦୀପ ବନ୍ଦର। ବିଗତ ୫୦ ବର୍ଷ ରେକର୍ଡକୁ ପଛରେ ପକାଇ ଦେଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଜେ. ସୋନାଲ, କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ପାରାଦୀପ ବନ୍ଦର ଉପାଧ୍ୟକ୍ଷ କ୍ୟାପଟେନ୍ ଅଲେଖ ଚରଣ ସାହୁ ଧନ୍ୟବାଦ ଦେଇଥିଲେ।
