Odia News Portal

ପରୀ ହତ୍ୟା କାଣ୍ଡର ଡେମୋ ଦେଖାଇଲା ଅଭିଯୁକ୍ତ ସରୋଜ

ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଏସ୍‌ଆଇଟି ଗିରଫ ଅଭିଯୁକ୍ତ ସରୋଜଙ୍କୁ ଆଜି ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌ ରିକ୍ରିଏଟ କରିଛି । ଯଦୁପୁରର ପୋଖରୀ ନିକଟରୁ ନାବାଳିକା ଶରୀରର କିଛି ହାଡ଼ ମିଳିଥିବା ନେଇ ଡେମୋ ଦେଖାଇଲା ଏସ୍‌ଆଇଟି। ପୋଖରୀ କୂଳରେ ସରୋଜ ଘଟଣା ସଂପର୍କରେ ବର୍ଣ୍ଣନା କରିଥିବା ଜଣାଯାଇଛି। ଏହି ସମୟରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଘଟଣାସ୍ଥଳରେ ଉପସ୍ଥିତ ରହି ସରୋଜକୁ ଟିକିନିଖି ପଚରାଉଚରା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ଆଜି ଅଭିଯୁକ୍ତ ସରୋଜର ୩ ଦିନିଆ ରିମାଣ୍ଡ ଅବଧୀ ଶେଷ ହେଉଥିବା ବେଳେ ସରୋଜକୁ ଘଟଣାସ୍ଥଳକୁ ଆଣି କ୍ରାଇମ ସିନ୍‌ ରିକ୍ରିଏଟ କରିଛି ଏସ୍‌ଆଇଟି। ଏହି ସମୟରେ ପୋଖରୀ ନିକଟରେ ସବୁ ଘଟଣା ଗୋଟି ଗୋଟି କରି ଓଗାଳିଥିଲା ଅଭିଯୁକ୍ତ ସରୋଜ ।ତେବେ ପୁଅ କିନ୍ତୁ ତାଙ୍କର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ଦୋହରାଇଛନ୍ତି ସରୋଜଙ୍କ ପରିବାର ଲୋକ। ଏସ୍‌ଆଇଟି ମୁଖ୍ୟଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରି ସରୋଜଙ୍କ ମା’ ନିଜ ପୁଅକୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିଛନ୍ତି।

ନିଜ ପୁଅ ପର୍ଣ୍ଣୋଗ୍ରାଫି ଦେଖିବା ଅଭିଯୋଗରେ ସେ କହିଛନ୍ତି ମୋ ପୁଅ ଯେବେ ମୋବାଇଲ ଦେଖେ ଭଜନ ଦେଖେ । ମୋ ପୁଅ ନିର୍ଦ୍ଦୋଷ, ସେ କିଛି କରିନାହିଁ ବୋଲି ଚିତ୍କାର କରି କହିଛନ୍ତି ସରୋଜର ମା। ଅନ୍ୟପକ୍ଷେ, ସରୋଜଙ୍କ ବଡ଼ ଭଉଣୀ କହିଛନ୍ତି ନାବାଳିକା ହତ୍ୟା ପୂର୍ବ ଦିନ ରାତିରେ ମୁଁ ଓ ମୋ ସ୍ୱାମୀ ଘରକୁ ଆସିଥିଲୁ। ଆମ ଭାଇ ଆମ ପାଖରେ ଶୋଇଥିଲା। ତେଣୁ ସେ କେତେବେଳେ ପର୍ଣ୍ଣୋଗ୍ରାଫି ଦେଖିଲା ବୋଲି ସେ ପ୍ରଶ୍ନ କରିଛନ୍ତି।