Odia News Portal

ବିଜେଡିରେ ତେଜୁଛି ଦଳୀୟ ବିବାଦ: କଟକ-ଚୌଦ୍ୱାରରେ କର୍ପୋରେଟରଙ୍କ ମେଳି, ଦଳ ଛାଡ଼ିବାକୁ ଧମକ !

ରାଜ୍ୟସଭା ନିର୍ବାଚନ ପରେ ବିଜେଡିରେ କଳି ଥମୁ ନାହିଁ । ବିଶେଷକରି ନିଲମ୍ବିତ ବିଧାୟକମାନଙ୍କ ନିର୍ବାଚନ ମଣ୍ଡଳୀରେ ଦଳୀୟ ବିବାଦ ତୀବ୍ର ହେଉଥିବା ଦେଖିବାକୁ ମିଳୁଛି । ଏହାର ପ୍ରଭାବ କଟକ-ଚୌଦ୍ୱାର ନିର୍ବାଚନ ମଣ୍ଡଳୀରେ ସ୍ପଷ୍ଟ ଭାବେ ପଡ଼ିଛି । ସ୍ଥିତି ଏତେ ଗମ୍ଭୀର ହୋଇଛି ଯେ, କର୍ପୋରେଟରମାନେ ମେଳି କରି ଦଳ ଛାଡିବାକୁ ମଧ୍ୟ ଧମକ ଦେଇଛନ୍ତି ।ମଙ୍ଗଳବାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବାସଭବନରେ ବିଜେଡି କର୍ପୋରେଟରମାନଙ୍କ ଏକ ଗୁପ୍ତ ବୈଠକ ହୋଇଥିଲା । ଏହି ବୈଠକରେ କଟକ-ଚୌଦ୍ୱାର ନିର୍ବାଚନ ମଣ୍ଡଳୀର ୧୩ ଜଣ ବିଜେଡି କର୍ପୋରେଟର ସାମିଲ ହୋଇଥିଲେ । ସୂଚନା ଅନୁସାରେ; ପ୍ରଭାତ ବିଶ୍ୱାଳଙ୍କ ବାସଭବନରେ ପ୍ରାୟ ଦୁଇ ଘଣ୍ଟା ଧରି ରୁଦ୍ଧଦ୍ୱାର ବୈଠକ ଚାଲିଥିଲା । ବୈଠକ ପରେ କର୍ପୋରେଟରମାନେ ସିଧାସଳଖ ଭାବେ କହିଥିଲେ ଯେ, ସେମାନେ ପ୍ରଭାତ ବିଶ୍ୱାଳଙ୍କ ସହ ଅଛନ୍ତି ଏବଂ ଆଗକୁ ମଧ୍ୟ ରହିବେ ।ସେମାନଙ୍କ କହିବା ଅନୁଯାୟୀ, ଦଳ ପାଇଁ ପ୍ରଭାତ ବିଶ୍ୱାଳଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ଏବଂ ସେମାନଙ୍କ ବିଜୟରେ ମଧ୍ୟ ତାଙ୍କର ଭୂମିକା ରହିଛି । ସେହିପରି ସେମାନେ ନିଜ ନିଷ୍ପତ୍ତି ନେତାଙ୍କୁ ଜଣାଇଦେଇଛନ୍ତି ଏବଂ ପ୍ରଭାତ ଯେଉଁ ନିଷ୍ପତ୍ତି ନେବେ, ସେହିଅନୁଯାୟୀ ଚାଲିବେ ବୋଲି ସ୍ପଷ୍ଟ କରିଛନ୍ତି । ଏପରିକି, ବିଜେଡି ଛାଡି ପ୍ରଭାତଙ୍କ ସହ ଯିବାକୁ ମଧ୍ୟ ସଙ୍କେତ ଦେଇଛନ୍ତି ।ଏହି ନିଷ୍ପତ୍ତି ବିଜେଡି ପାଇଁ ଆଗାମୀ ଦିନରେ ଗୁରୁତର ସମସ୍ୟା ସୃଷ୍ଟି କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଆଜି(ବୁଧବାର ) ୧୩ ଜଣ କର୍ପୋରେଟର ସାମୁହିକ ଭାବେ ବିଜେଡି ଛାଡିପାରନ୍ତି ବୋଲି ମଧ୍ୟ ଆଲୋଚନା ଚାଲିଛି ।ଅନ୍ୟପକ୍ଷରେ, ପ୍ରଭାତ ବିଶ୍ୱାଳ ସିଧାସଳଖ କୌଣସି ବୟାନ ଦେଇନଥିବା ସତ୍ବେ ପରୋକ୍ଷ ଭାବେ କର୍ପୋରେଟରମାନେ ତାଙ୍କ ସହ ରହିଥିବାକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଦଳର କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ଥିବାରୁ ସେ ପୁଣି ଦଳକୁ ଫେରିବେ ନାହିଁ । ତେବେ ସେ କେଉଁ ଦଳକୁ ଯିବେ, ସେନେଇ ସ୍ପଷ୍ଟ କରିନଥିଲେ ମଧ୍ୟ ଖୁବଶୀଘ୍ର ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।ପ୍ରଭାତ ବିଶ୍ୱାଳ କହିଛନ୍ତି, “କର୍ପୋରେଟରମାନେ ସୌଜନ୍ୟମୂଳକ ଭାବରେ ସାକ୍ଷାତ କରି ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଛନ୍ତି । ଆମ ପ୍ରତି କର୍ପୋରେଟରମାନଙ୍କ ଆନ୍ତରିକତା ରହିଛି ।”