Odia News Portal

ମୁହାଣ ଖୋଳିଲେ ୭ ଗାଁର ଲୋକ, ମତ୍ସ୍ୟଜୀବୀ

ବର୍ଷ ବର୍ଷ ଧରି ସରକାର ଓ ପ୍ରଶାସନକୁ ଗୁହାରି କରି ନୟାନ୍ତ ହେବା ପରେ ଶେଷ‌ରେ ଗଞ୍ଜାମ ବ୍ଲକ୍‌ର ୭ ଖଣ୍ଡ ଗ୍ରାମର ଲୋକେ ଓ ମତ୍ସ୍ୟଜୀବୀମାନେ ଏକାଠି ହୋଇ ଋଷିକୁଲ୍ୟା ମୁହାଣକୁ ନିଜେ ଖୋଳିବାକୁ ଅଣ୍ଟା ଭିଡ଼ିଛନ୍ତି। ପାଳିବନ୍ଧ, ପୁରୁଣାବନ୍ଧ, ଗୋଖରକୁଦା, ବିଛଣାପଲ୍ଲୀ, ବଡ଼ନୋଳିଆଗାଁ, ସାନନୋଳିଆଗାଁ ଓ ପୋଡ଼ମମେଟା ଗ୍ରାମର ମତ୍ସ୍ୟଜୀବୀ ଏବଂ ଲୋକମାନେ ଆଜି ମେଳି ବାନ୍ଧିଥିଲେ। ପୁରୁଣାବନ୍ଧ ଗଙ୍ଗାମନ୍ଦିର ନିକଟରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ସମସ୍ତେ ମିଶି ଆଜି ରାତି ୮ଟା ସୁଦ୍ଧା ୨୦୦ ମିଟର ଲମ୍ବ, ୨୦ ଫୁଟ ଓସାର ଏବଂ ୧୦ ଫୁଟ ଗଭୀର ଜେସିବି ଦ୍ବାରା ଖୋଳିସାରିଥିବା ବେଳେ ଏହି କାର୍ଯ୍ୟ ଜାରି ରହିଛି। କେବଳ ଏତିକି ନୁହେଁ, ଏହି ପ୍ରୟାସ ପରେ ଜିଲ୍ଲାର ୫ଟି ବ୍ଲକ୍‌ ଛତ୍ରପୁର, ଗଞ୍ଜାମ, ହିଞ୍ଜିଳିକାଟୁ, ଆସିକା ଓ ପୁରୁଷୋତ୍ତମପୁର ଉପରୁ ବନ୍ୟା ବିପତ୍ତି ମଧ୍ୟ ଆଂଶିକ ଭାବେ ଟଳିଯାଇଛି। ବନ୍ୟା ନିୟନ୍ତ୍ରଣ ଓ ଜୀବନଜୀବିକା ସୁରକ୍ଷାକୁ ପ୍ରାଥମିକତା ଦେଇ ସେମାନେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। ମତ୍ସ୍ୟଜୀବୀମାନଙ୍କ କହିବାନୁସାରେ, ଯଦି ନଦୀ ଓ ସମୁଦ୍ରର ମିଶ୍ରଣସ୍ଥଳ (ମୁହାଣ) ସାଧାରଣ ଭାବେ ଖୋଲା ରହିବ ତା’ହେଲେ ନଦୀର ଜଳପ୍ରବାହ ସୁଗମ ହୋଇପାରିବ। ନଦୀମୁହଁରେ ଜଳ ଜମା ହେବନି। ଏହାସହ ପ୍ରତିବର୍ଷ ବନ୍ୟା ଆଶଙ୍କା ଯଥେଷ୍ଟ ଭାବେ କମିବା ସହ ଜଳସ୍ତର ବି ନିୟନ୍ତ୍ରଣରେ ରହିବ। ସେହିପରି ମୁହାଣ ଖୋଳିଲେ ମତ୍ସ୍ୟଜୀବୀଙ୍କ ଜୀବିକା ସୁରକ୍ଷିତ ରହିବ। କାରଣ ନଦୀ ଓ ସମୁଦ୍ର ମଧ୍ୟରେ ସୁଗମ ଜଳପ୍ରବାହ ଯୋଗୁଁ ମାଛ ଧରିବା ଅଧିକ ସୁବିଧାଜନକ ହେବା ସାଙ୍ଗକୁ ଉତ୍ପାଦନ ବି ବଢ଼ିବ। କିନ୍ତୁ ପରିତାପର ବିଷୟ ହେଉଛି, ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କରାଯାଉଥିଲେ ହେଁ, କୌଣସି ସୁଫଳ ମିଳିପାରୁନି। ଫଳରେ ଗ୍ରାମବାସୀ ଓ ମତ୍ସ୍ୟଜୀବୀ ନିଜେ ଏହି ମିଳିତ ପ୍ରୟାସ ଆରମ୍ଭ କରିଛନ୍ତି। ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଋଷିକୁଲ୍ୟା ନଦୀର ଜଳସ୍ତର ବିପଦସଙ୍କେତ ଉପରେ ରହିଥିବାରୁ ସେମାନେ ସୁରକ୍ଷା ପାଇଁ ନିଜ ଉଦ୍ୟମରେ ନଦୀ ମୁହାଣ ଖୋଳିଥିବା କହିଛନ୍ତି।