Odia News Portal

ଜାନୁଆରୀରେ ହୋଇପାରିବନି ପିକନିକ

ଜାନୁଆରୀ ମାସରେ ସହରାଞ୍ଚଳରେ ଜାରି ରହିବ ନାଇଟ କର୍ଫ୍ୟୁ । ରାତି ୧୦ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଜାରି ରହିବ । ସକାଳ ୫ଟାରୁ ରାତି ୧୦ ଟା ପର୍ୟ୍ୟନ୍ତ ସମସ୍ତ ପ୍ରକାରର ଦୋକାନ ଖୋଲା ରହିବ । ଓମିକ୍ରନ ସଙ୍କ୍ରମଣକୁ ଦେଖି ସମସ୍ତ ପ୍ରକାରର ସାମାଜିକ ଓ ଧାର୍ମିକ ସମାବେଶକୁ ବାରଣ କରାଯାଇଛି । ରାଜନୀତିକ ସମାବେଶରେ ସର୍ବାଧିକ ୧୦୦ ଲୋକ ସାମିଲ ହୋଇପାରିବେ । ପ୍ରଦର୍ଶନୀ , ବାଣିଜ୍ୟମେଳା, ମେଳା ଆଦି ଆୟୋଜନ କରାଯାଇପାରିବ ନାହିଁ । ପାର୍କ , ବେଳାଭୂମୀ ରେ ପିକନିକ ହୋଇପାରିବ ନାହିଁ । ସେହିପରି ହୋଟେଲ, ମଲ, କଲ୍ୟାଣ ମଣ୍ଡପ ଆଦିରେ ସାଂସ୍କୃତିକ କାର୍ୟ୍ୟକ୍ରମକୁ ବାରଣ କରାଯାଇଛି । ଏମିତିକି ବାର୍ଷିକ ଉତ୍ସବ ମଧ୍ୟ ଆୟୋଜନ ହୋଇପାରିବନାହିଁ । କୋଭିଡ ନିୟମ ମାନି ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ, ଅଡିଟୋରିୟମ ଏବଂ ଥିଏଟରରେ କାର୍ୟ୍ୟକ୍ରମ ଚାଲି ପାରିବ । ଅନ୍ୟପକ୍ଷରେ ସର୍ବାଧିକ ୧ ହଜାର ଦର୍ଶକଙ୍କୁ ନେଇ ଅନୁମତିରେ ଚାଲିପାରିବ ଯାତ୍ରା । ସେହିପରି ଡିସେମ୍ବର ୩୧ ଓ ନୂଆବର୍ଷର ପ୍ରଥମ ଦୁଇ ଦିନରେ ଅଧିକ ସତର୍କତା ଲାଗି ସରକାରଙ୍କ ପକ୍ଷରୁ କୁହାଯାଇଛି । ପାର୍କ , ପିକନିକ ସ୍ପଟ, ମଲ, ହୋଟେଲ ଏବଂ କ୍ଲବ ଭଳି ଭିଡ ଜମାଉଥିବା ସ୍ଥାନରେ ନିୟମିତ ଯାଞ୍ଚ କରାଯିବ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମକୁ କଡାକଡି ଭାବରେ ପାଳନ କରାଯିବ । ଆବଶ୍ୟକ ସ୍ଥଳରେ କଟକଣାକୁ ଅଧିକ କଡାକଡି କରାଯିବ । ଏବଂ ଉଲ୍ଲଘଂନକାରୀଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି ।