ବାଲିଯାତ୍ରା ପାଇଁ ୧୩ରୁ ଆରମ୍ଭ ହେବ ପ୍ଲଟ ନିଲାମୀ ପ୍ରକ୍ରିୟା, ଚଳିତବର୍ଷ ୧୬୭୦ଟି ଷ୍ଟଲ ଆବଣ୍ଟନ କରାଯିବାକୁ ଲକ୍ଷ୍ୟ By Swadhikar News Last updated Oct 5, 2025 ନଭେମ୍ବର ୫ରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା-୨୦୨୫ । ଐତିହାସିକ କଟକ ବାଲିଯାତ୍ରା ଷ୍ଟଲ ଖୋଲିବା ନିମନ୍ତେ ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଛି । ଏହା ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ୧୩ ତାରିଖର ପ୍ଲଟ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ଉଭୟ ଅନଲାଇନ ଏବଂ ଅଫଲାଇନ ଜରିଆରେ ପଞ୍ଜିକରଣ କରାଯାଉଛି । ବାରବାଟୀ ପ୍ୟାଲେସଠାରେ ଦୈନିକ ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୫ଟା ୩୦ ମିନିଟ ମଧ୍ୟରେ ଫର୍ମ ଦାଖଲ ଓ ପଞ୍ଜିକରଣ କାର୍ଯ୍ୟ ଚାଲୁ ରହିଛି । ଗତ ୨୬ ତାରିଖଠାରୁ ଏହି ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ପରେ ଆସନ୍ତା ୧୩ ତାରିଖରୁ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ। ଗତକାଲି (ଶନିବାର) ସୁଦ୍ଧା ୧୫୦ରୁ ଅଧିକ ପ୍ଲଟ ପାଇଁ ପଞ୍ଜିକରଣ କରାଯାଇଛି । ଅନଲାଇନ ମାଧ୍ୟମରେ ପଞ୍ଜିକରଣ ପାଇଁ ଇଚ୍ଛୁକ ବ୍ୟକ୍ତି www.baliyatra.net ୱେବସାଇଟକୁ ଯାଇ ପଞ୍ଜିକରଣ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିପରି ଏହି ବୃହତ ବାଣିଜ୍ୟିକ ମେଳାର ପ୍ରସ୍ତୁତି ନେଇ ଶନିବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଉନ୍ନୟନ କମିଶସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଲୋକସେବା ଭବନରେ ଆୟୋଜିତ ବୈଠକରେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଡ. ବିଜୟ କେତନ ଉପାଧ୍ୟାୟ, ସିଏମସି କମିଶସନର କୀରନଦୀପ କୌର ସହୋଟା, ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଦର୍ଶକମାନଙ୍କ ସମସ୍ତ ପ୍ରକାର ସୁବିଧା ପାଇଁ ଗୁରୁତ୍ଵ ଦେଇଛନ୍ତି ଉନ୍ନୟନ କମିଶନର । ବାଲିଯାତ୍ରାରେ କେଉଁ କେଉଁ ସ୍ଥାନରେ କ’ଣ ସୁବିଧା ରହିଛି ଏବଂ ଜରୁରୀ ସହାୟତା ଆବଶ୍ୟକତା ପାଇଁ ଏକ ମୋବାଇଲ ଆପ୍ ବିକଶିତ କରିବାକୁ ସେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ଚଳିତବର୍ଷ ବାଲିଯାତ୍ରାରେ ୧୬୭୦ଟି ଷ୍ଟଲ ଆବଣ୍ଟନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଓରମାସ ଆୟୋଜନରେ ୫୦୦ ଷ୍ଟଲ ସ୍ଥାପନ କରାଯାଇ ଜାତୀୟ ପଲ୍ଲୀଶ୍ରୀ ମେଳା କରାଯିବ ବୋଲି ସୂଚନା ରହିଛି । ଚଳିତବର୍ଷ ବାଲିଯାତ୍ରାରେ ୭୦ ଲକ୍ଷ ଲୋକଙ୍କ ସମାଗମ ହେବାର ଆକଳନ କରାଯାଇଛି । balijatraswadhikarswadhikar news Share