Odia News Portal

୨୪ ଘଣ୍ଟାରେ ୨୫ ଲକ୍ଷ ଜରିମାନା ଆଦାୟ

ମାସ୍କ ଓ ସାମାଜିକ ଦୂରତା ଉଲ୍ଲଂଘନକାରୀଙ୍କ ଠାରୁ ଏହି ଜରିମାନା ଅର୍ଥ ଆଦାୟ |

ଭୁବନେଶ୍ୱର: କୋଭିଡ୍‌ ନିୟମ ଉଲ୍ଲଂଘନକାରୀ ଗଣୁଛନ୍ତି ମୋଟା ଅଙ୍କର ତଣ୍ଡ | ରାଜ୍ୟରେ କରୋନା ସ୍ଥିତି ବିଗିଡିଥିବା ବେଳେ ଏବେ କଠୋର ହୋଇଛନ୍ତି ରାଜ୍ୟ ସରକାର । ଅମାନିଆଙ୍କୁ ସାବାଡ କରିବାକୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଥିବା ସ୍ପେଶାଲ ଡ୍ରାଇଭରେ ରାଜ୍ୟ ପୋଲିସ ପକ୍ଷରୁ ୨୫ ଲକ୍ଷ ୭ ହଜାର ୯୦୦ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଛି । ମାସ୍କ ଓ ସାମାଜିକ ଦୂରତା ଉଲ୍ଲଂଘନକାରୀଙ୍କ ଠାରୁ ଏହି ଜରିମାନା ଅର୍ଥ ଆଦାୟ କରାଯାଇଛି | ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ ନିୟମ ଉଲ୍ଲଂଘନ କରି ତଣ୍ଡ ଗଣିଛନ୍ତି ୯,୪୦୦ ଜଣ । ଏ ନେଇ କଟକ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସୂଚନା ଅନୁଯାୟୀ, ପୋଲିସକୁ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଉ ଏହି ସ୍ପେଶାଲ ଡ୍ରାଇଭରେ ସଂକ୍ରମଣକୁ ନେଇ ସଚେତନ କରାଯିବା ସହ କୋଭିଡ ଗାଇଡଲାଇନ ମାନୁନଥିବା ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା । ମୋଟ ୧୩୬ ପ୍ଲାଟୁନ ପୋଲିସ ଏହି ସ୍ପେଶାଲ ଡ୍ରାଇଭରେ ସାମିଲ ହୋଇ କୋଭିଡ ଗାଇଡଲାଇନ ଉଲ୍ଲଂଘନକାରୀଙ୍କ ଧରିବା ସହ ଜରିମାନା ଆଦାୟ କରିଥିଲେ ।ତେବେ ପୋଲିସ ପକ୍ଷରୁ ଏହି ସ୍ପେଶାଲ ଡ୍ରାଇଭ ୧୦ ଦିନ ଯାଏଁ ଜାରି ରହିବ ବୋଲି ପୂର୍ବରୁ ଘୋଷଣା ହୋଇଛି ।