Odia News Portal

ମିଠା କଥାକହି ଫସାଉଥିଲେ,ନିଜେ ଫସି ଗଲେ

ଭଦ୍ରକ : ସ୍ୱାମୀକୁ ଜେଲରୁ ବେଲ୍‌ରେ ବାହାର କରିଦେବାକୁ କହି ଅଭିଯୁକ୍ତ ସ୍ତ୍ରୀ ସହିତ ମିଠାଳିଆ କଥା ହେଉଥିଲେ ପୁଲିସ ବାବୁ | ତୁମ ସ୍ବାମୀ ଜେଲରୁ ବାହାରିବେ, ଆମେ ଆଜିଠୁ ଭାଇଭଉଣୀ , ଏଭଳି ମନଲୋଭା କଥା କହି ଅଭିଯୁକ୍ତର ସ୍ତ୍ରୀ ସହିତ ସଂପର୍କ ବାନ୍ଧିବାକୁ ଚେଷ୍ଟା କରୁଥିଲେ ପୁଲିସ ବାବୁ । ତେବେ ପୁଲିସ ବାବୁଙ୍କ ମନ ଭିତରେ ଦବି ରହିଥିଲା କିଛି ପାପ ଉଦ୍ଦେଶ୍ୟ | ପରେ ସୁଯୋଗ ଖୋଜି ଅଭିଯୁକ୍ତ ଘରେ ହାଜର ମଧ୍ୟ ହୋଇଗଲେ ପୁଲିସ୍‌ ବାବୁ | ଆଉ ଅଭିଯୁକ୍ତଙ୍କ ସ୍ତ୍ରୀକୁ ଅସଦାଚରଣ କରି ଶେଷରେ ଧରା ପଡ଼ିଗଲେ | ଏପରି ପ୍ରେମ ଜାଲରେ ଫସାଉଥିଲେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନାରେ କାର୍ଯ୍ୟରତ ଏପିଆର ହାବିଲଦାର ହରମୋହନ ନାୟକ |

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ନାମରେ ୱାରେଣ୍ଟ ଆସିବା ପରେ ପୁଲିସ୍‌ ତାଙ୍କୁ ରବିବାର ରାତିରେ ଗିରଫ କରି କୋର୍ଟଚାଲାଣ ପାଇଁ ନେଇଥିଲେ ଭଣ୍ଡାରିପୋଖରୀ ଥାନାରେ କାର୍ଯ୍ୟରତ ଏପିଆର ହାବିଲଦାର ହରମୋହନ ନାୟକ | କୋର୍ଟରେ ଜାମିନ ନାମଞ୍ଜୁର ଜେଲକୁ ଯାଇଥିଲେ ଅଭିଯୁକ୍ତ | ତେବେ ସେହି ସମୟରେ ଅଭିଯୁକ୍ତଜଣକ ହାବିଲଦାର ହରମୋହନଙ୍କ ମୋବାଇଲରୁ ନିଜ ସ୍ତ୍ରୀ ସହ କଥା ହୋଇଥିଲେ | ଅଭିଯୁକ୍ତଜଣକ ଜେଲ୍‌ ଯିବା ପରେ ହାବିଲଦାର ହରମୋହନ ସେହି ନମ୍ବରରେ ଅଭିଯୁକ୍ତ ସ୍ତ୍ରୀଙ୍କୁ ବାରମ୍ବାର ଫୋନ କରିଥିଲେ | “ମୋତେ ଭାଇ ବୋଲି ଭାବେ, ଆମ ଭିତରେ ନୂଆ ସମ୍ପର୍କ ଯୋଡ଼ି ହେଲା | ତୋ ବନ୍ଧା ପଡ଼ିଥିବା ସୁନାକୁ ମୁକୁଳାଇ ଆଣିବି, ଖୁବ ଶୀଘ୍ର ତୋ ସ୍ୱାମୀକୁ ବେଲ ମିଳି ଯିବ| ଏପରି ମନଲୋଭା କଥା କହି ଅଭିଯୁକ୍ତର ସ୍ତ୍ରୀକୁ ନିଜ ଜାଲରେ ଫସାଇବାକୁ ଚେଷ୍ଟା କରିଥିଲ୍ ହରମୋହନ |

ଏପରି କି ମୋ ସ୍ତ୍ରୀ ୨ ବର୍ଷ ହେଲା ମରିଯାଇଛି, ମୁଁ ତ ତୋତେ ସାହାଯ୍ୟ କରିବି ହେଲେ ମୋ କଥା ଟିକେ ବୁଝିବୁ ବୋଲି ଇସାରା ମଧ୍ୟ ଦେଇଥିଲେ ପୁଲିସ ବାବୁ ଜଣକ | ବାସ୍ ଏହାପରେ ଗତକାଲି ମଧ୍ୟାହ୍ନରେ ସିଧସଳଖ ଅଭିଯୁକ୍ତ ଘରେ ପହଞ୍ଚି ଯାଇଥିଲେ ହରମୋହନ | ଘରେ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ ପୁଲିସ ବାବୁ ହରମୋହନ | ମାତ୍ର ମହିଳାଜଣକ ଚିତ୍କାର କରିବାରୁ ପରିବାର ଲୋକେ ଓ ଗ୍ରାମବାସୀ ଆସି ହରମୋହନଙ୍କୁ ଅଟକ ରଖି ଭଣ୍ଡାରିପୋଖରୀ ପୁଲିସ୍‌କୁ ହସ୍ତାନ୍ତର କରିଥିଲେ | ମହିଳାଙ୍କ ଅଭିଯୋଗ ପରେ ଥାନାରେ ହାବିଲଦାରଙ୍କ ନାଁରେ ମାମଲା ରୁଜୁ ହୋଇଛି ।