Odia News Portal

ଚୋରା ମଦ ଜବତ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ପୋଲିସ ଅଧିକାରୀ, 2 ଗୁରୁତର

କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ଉପରେ ଅତର୍କିତ ଆକ୍ରମଣ । ଚୋରା ମଦ ଜବତ କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହେଲେ ଫାଣ୍ଡି ଅଧିକାରୀ ଓ ମହିଳା କନେଷ୍ଟବଳ । ପୋଲିସ ଅଧିକାରୀଙ୍କ ମୁଣ୍ଡକୁ ପଥରରେ ଛେଚିଲେ ମଦ ବେପାରୀ । 2 ପୋଲିସ ଅଧିକାରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ବାଲିତୋଟା ଗ୍ରାମରେ ଦେଖିବାକୁ ମିଳିଛି । ଏହି ଘଟଣା ପରେ ଆକ୍ରମଣକାରୀଙ୍କ ବିରୋଧରେ ପୋଲିସ ତନାଘନା ଆରମ୍ଭ କରିଛି ।ଗୁରୁତର ଭାବେ ଆହତ ହୋଇଥିବା 2 ପୋଲିସ ହେଉଛନ୍ତି ସାହାରପଡା ଫାଣ୍ଡି ଅଧିକାରୀ ପାର୍ଥ ଓରାମ ଓ ମହିଳା କନେଷ୍ଟବଳ ହେମଲତା ନାଏକ । ଗତକାଲି (ଗୁରୁବାର) ପାଟଣା ଥାନା ସାହାରପଡା ଫାଣ୍ଡି ଅନ୍ତର୍ଗତ ବାଲିତୋଟା ଗ୍ରାମରେ ପ୍ରବଳ ଚୋରା ମଦ ବିକ୍ରି ହେଉଥିବା ଖବର ପୋଲିସକୁ ମିଳିଥିଲା । ଖବର ପାଇ ସନ୍ଧ୍ୟାରେ ସାହାରପଡା ଫାଣ୍ଡି ଅଧିକାରୀ ଓ ମହିଳା କନେଷ୍ଟବଳଙ୍କ ସହ ଏକ ଦଳ ଜଣେ ଚୋରା ମଦ ବେପାରୀଙ୍କ ଘରେ ଚଢ଼ାଉ କରିଥିଲେ । ଏହି ସମୟରେ ଚୋରା ମଦ ରଖିଥିବା ପରିବାରର ୪ ଜଣ ସଦସ୍ୟ ସାହାରପଡା ଫାଣ୍ଡି ଅଧିକାରୀ ପାର୍ଥ ଓରାମ ଓ ମହିଳା କନେଷ୍ଟବଳ ହେମଲତା ନାଏକଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଏହା ସହିତ ଫାଣ୍ଡି ଅଧିକାରୀଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଆକ୍ରମଣ କରିଥିଲେ ।ପୋଲିସ ଅଧିକାରୀଙ୍କ ଉପରେ ଆକ୍ରମଣ ଯୋଗୁଁ ତାଙ୍କ ମୁଣ୍ଡ ଫାଟି ସେ ଲହୁ ଲୁହାଣ ହୋଇଥିଲେ । ଏହା ସହିତ ଆକ୍ରମଣ ଯୋଗୁଁ ମହିଳା କନେଷ୍ଟବଳ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ଆକ୍ରମଣ ନେଇ ଖବର ମିଳିବା ପରେ ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ଅଧିକ ପୋଲିସ ଅଧିକାରୀଙ୍କ ସହିତ ଗୋଜିଟାଙ୍ଗିରୀ ଗ୍ରାମକୁ ଯାଇ ଉଭୟଙ୍କୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ଆହତ ସାହାରପଡା ଫାଣ୍ଡି ଅଧିକାରୀ ଓ ମହିଳା କନେଷ୍ଟବଳ ପାଟଣା ଡାକ୍ତରଖାନାରେ ଚିକିତ୍ସିତ ହୋଉଛନ୍ତି ।ଅଭିଯୋଗ ହେବା ପରେ ଆକ୍ରମଣକାରୀଙ୍କ ଘରୁ ଚୋରା ମଦ ଜବଦ ହୋଇଥିଲା । ଏହା ପରେ ତାଙ୍କୁ ଗିରଫ କରାଯାଇଥିବା ଘଟଗାଁ ଏସଡିପିଓ ପ୍ରଶାନ୍ତ ମହାପାତ୍ର ସୂଚନା ଦେଇଛନ୍ତି ।ଏହି ଘଟଣାକୁ ପୋଲିସ ପ୍ରଶାସନ ଗୁରୁତ୍ବର ସହିତ ନେଇଛି । ଆକ୍ରମଣକାରୀଙ୍କ ବିରୋଧରେ ତନାଘନା ଆରମ୍ଭ ହୋଇଛି ।