Odia News Portal

ରାଜଧାନୀ ଆସୁଥିବା ଚାଷୀଙ୍କୁ ଫୁଲନଖରାରୁ ଉଠାଇନେଲା ପୁଲିସ

 ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ନବ ନିର୍ମାଣ କୃଷକ ସଂଗଠନ ଚାଲିଥିବା ପଦଯାତ୍ରା ଭୁବନେଶ୍ବରରେ ପ୍ରବେଶ କରିବା ପୂର୍ବରୁ ଫୁଲନଖରା ଛକରୁ ପୁଲିସ ଅଟକାଇ ଦେଇଛି। ଏହାସହିତ ସଂଗଠନର କର୍ମକର୍ତ୍ତାଙ୍କୁ ସେଠାରୁ ପୁଲିସ ଉଠାଇ ନେଇଛି। ଏହି ପଦଯାତ୍ରାରେ ସାମିଲ ହୋଇଥିବା ରାଷ୍ଟ୍ରୀୟ କୃଷକ ନେତା ରାକେଶ ଟିକାୟତ, ଆର୍‌ଜେଡି ସାଂସଦ ସୁଧାକର ସିଂହ, ଝାଡ଼ଖଣ୍ଡର ଚାଷୀ ନେତା ବିଜୟ କୁମାର, ଉତ୍ତର ପ୍ରଦେଶର ଚାଷୀ ନେତା ଅରବିନ୍ଦ ମୂର୍ତ୍ତିଙ୍କ ସମେତ ନବନିର୍ମାଣ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ଶେଷଦେବ ନନ୍ଦ, ମନୱର ଅଲ୍ଲୀଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି। ସୂଚନା ଅନୁସାରେ ମାର୍ଚ୍ଚ ୨୨ରୁ ମାର୍ଚ୍ଚ ୩୧ କୃଷକ ଏକତା ଗଣ ପଦଯାତ୍ରା ଓ ସତ୍ୟାଗ୍ରହ ଘଟଗାଁ ମା’ ତାରଣୀଙ୍କ ପୀଠରୁ ଭୁବନେଶ୍ବର ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ। ଆଜି ନବମ ଦିନରେ ପଦଯାତ୍ରା କଟକ କାଠଯୋଡ଼ି ବ୍ରିଜ୍‌ଠାରୁ ଆରମ୍ଭ ହୋଇଥିଲା। ପଦଯାତ୍ରାରେ ଟ୍ରାକ୍ଟର ସାମିଲ ହୋଇଥିଲା। ଅପରାହ୍ଣରେ ପଦଯାତ୍ରା ଫୁଲନଖରା ଛକରେ ପହଞ୍ଚିବା ପରେ ପୂର୍ବରୁ କୌଣସି ଅଘଟଣ ଆଶଙ୍କା କରି ପୁଲିସ ସେଠାରେ ନବନିର୍ମାଣ କର୍ମକର୍ତ୍ତା ଓ ରାଷ୍ଟ୍ରୀୟ ଚାଷୀ ନେତାମାନଙ୍କୁ ଅଟକାଇ ଉଠାଇ ନେଇଥିଲା। ଏନେଇ ସଂଗଠନ ପକ୍ଷରୁ କୁହାଯାଇଛି ‌ଯେ ଚାଷୀମାନଙ୍କୁ ମାସିକ ସର୍ବନିମ୍ନ ୧୦ ହଜାର ଟଙ୍କା ପେନ୍‌ସନ୍‌, ମଣ୍ଡିରୁ ଧାନ ଉଠାଇବା ଓ ଚାଷୀଙ୍କ ଦାବି ନେଇ ଏହି ପଦଯାତ୍ରା କରାଯାଉଛି।ବିଧାନସଭା ଅଧିବେଶନ ଚାଲିଥିବାରୁ ବିନା କାରଣରେ ପୁଲିସ ଅଟକ ରଖିଛି। ଅତୀତରେ କୌଣସି ଜାଗାରେ ବିଶୃଙ୍ଖଳା ଆଚରଣ, ହିଂସା କରିନଥିବା ନବନିର୍ମାଣ ସଂଗଠନକୁ ପୁଲିସ ବିନା କାରଣରେ ନଖରା ଛକରେ ଅଟକାଇଛି। କିନ୍ତୁ ପୁଲିସ ଏହି ଆନ୍ଦୋଳନକୁ ଅଟକାଇ ପାରିବ ନାହିଁ। ପୁଲିସ ଏହି ଆନ୍ଦୋଳନକୁ ଯେତେ ଦାବିବ ଚାଷୀ ଆନ୍ଦୋଳନ ଆହୁରି ତୀବ୍ର ଭାବରେ ଉପରକୁ ଉଠିବ ‌ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜିର ଏହି ଆନ୍ଦୋଳନରେ ରଶ୍ମିରଞ୍ଜନ ସ୍ବାଇଁ, ଦେବୀପ୍ରସାଦ ମହାରଣା, ଦୁର୍ଗାଚରଣ ସ୍ବାଇଁ, ଅଶ୍ବିନୀ ଜେନା, ଚିନୁ ଦାସ, ରଣଜିତ ପଟ୍ଟନାୟକ,  ଖଗେଶ୍ବର ମହନ୍ତ, ବିଳାସିନୀ ମହନ୍ତି, ପ୍ରଭାତ ମାହାଳିକ, ଦାଶରଥି ସାହୁ,  କୃଷ୍ଣ ନାଏକ, ଗଣେଶ ବେହେରା, ପ୍ରଶାନ୍ତ ମଲ୍ଲିକ, ମଞ୍ଜୁ ସେଠୀ, ଜ୍ୟୋତ୍ସ୍ନା ମହାକୁଡ଼, ପ୍ୟାରିସ ପାତ୍ର, ସୁଭାଷ ଜତିଙ୍କ ସମେତ ବହୁ କର୍ମକର୍ତ୍ତା ‌ଉପସ୍ଥିତ ଥିଲେ।