Odia News Portal

ଶିମିଳିପାଳ ସ୍ଥିତି ପରଖିଲେ ପ୍ରଣବ

ମୟୁରଭଞ୍ଜ: ଜଙ୍ଗଲର ନିଆଁ ସ୍ଥିତି ପରଖିବା ପାଇଁ ଶିମିଳିପାଳରେ ପହଁଚିଲେ ବିଜେଡି ସଂଗଠନ ସଂପାଦକ । ଏନେଇ ଗତକାଲି ଟ୍ୱିଟ କରି ସୂଚନା ଦେଇଥିଲେ ପ୍ରଣବ ପ୍ରକାଶ ଦାସ । ଶିମିଳିପାଳ ଉପ ନିର୍ଦ୍ଦେଶକଙ୍କ ସହ ଆଲୋଚନା ପରେ ବିଭିନ୍ନ ଅଞ୍ଚଳ ବୁଲିବେ ପ୍ରଣବ ପ୍ରକାଶ ଦାସ । ତାଙ୍କ ସହ ରାଜ୍ୟସଭା ସାଂସଦ ମମତା ମହନ୍ତ, ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି ପ୍ରମୁଖ ଅଛନ୍ତି ।

ତେବେ ଗତକାଲିର ବର୍ଷା ପରେ ଶିିମିଳିପାଳ ଅଭୟାରଣ୍ୟ ତଥା ନିକଟବର୍ତୀ ବନାଞ୍ଚଳର ୬ଟି ରେଞ୍ଜରେ ନିଆଁ ଲିଭିଯାଇଥିବା ସୂଚନା ମିଳିଛି | ଶିମିଳିପାଳରେ ନିଆଁ ଆୟତ୍ତକୁ ଆସିଛି  । ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ନିୟନ୍ତ୍ରଣରେ ରହିଛି । ନ୍ୟାସନାଲ ରିମୋଟ ସେନସିଂ ସେଣ୍ଟର (NRSC) ହାଇଦ୍ରାବାଦ ସାଟେଲାଇଟ୍ ଏକ ଫଟୋଚିତ୍ର ଜାରି କରିଛି । ଯେଉଁଥିରେ ଶିମିଳିପାଳରେ ଲାଗିଥିବା ନିଆଁ ଆୟତ୍ତକୁ ଆସି ସାରିଥିବା ଦେଖାଯାଇଛି । ଏନେଇ ଫରେଷ୍ଟ ଟାସ୍କ ଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ଟ୍ୱିଟ୍ କରି ବୁଧବାର ସୂଚନା ମଧ୍ୟ ଦେଇଥିଲେ । ଏସବୁ ଭିତରେ ବର୍ତମାନ ସେଠି କେଉଁଭଳି ସ୍ଥିତି ରହିଛି ଏବଂ କ’ଣ କଲେ ନିଆଁକୁ ସମ୍ପୁର୍ଣ୍ଣ ଭାବେ ଆୟତ କରାଯିବ ସେ ଦିଗରେ ପଦକ୍ଷେପ ନେବା ପାଇଁ ଶିମିଳିପାଳରେ ପହଂଚିଛନ୍ତି ପ୍ରଣବ ପ୍ରକାଶ ଦାସ ।