ହରିୟାଣାର ଅମ୍ବାଲା ଏୟାରବେସରୁ ରାଫେଲ ଯୁଦ୍ଧବିମାନରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ ଅମ୍ବାଲା ବାୟୁସେନା ଷ୍ଟେସନରୁ ଏକ ରାଫେଲ ଯୁଦ୍ଧ ବିମାନରେ ଉଡ଼ାଣ ଭରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ରାଫେଲ ଲଢ଼ୁଆ ବିମାନରେ ଉଡ଼ିବାର ପ୍ରଥମ ରାଷ୍ଟ୍ରପତି ହୋଇଛନ୍ତି ।ରାଷ୍ଟ୍ରପତି ରାଫେଲରେ ଉଡ଼ିବା ନେଇ ଆଖପାଖ ଅଞ୍ଚଳରେ ନୋ ଡ୍ରୋନ ଜୋନ୍ ଘୋଷଣା କରାଯାଇଛି । ଅମ୍ବାଲା ଏୟାରଫୋର୍ସ ଷ୍ଟେସନରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହାପରେ ରାଷ୍ଟ୍ରପତି ଅନ୍ୟ ଅଧିକାରୀଙ୍କ ନିକଟରୁ ରାଫେଲ ବିମାନର ଟେକନିକ୍ ବିଷୟରେ ଏବଂ ସୁରକ୍ଷା ରଣନୀତି ବିଷୟରେ ସୂଚନା ନେଇଛନ୍ତି ।ଭାରତ ଅପରେସନ ସିନ୍ଦୂର ସମୟରେ ରାଫେଲ ଲଢ଼ୁଆ ବିମାନ ବ୍ୟବହାର କରିଥିଲା । ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ମେ ୬-୭ରେ ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ ଏବଂ କଶ୍ମୀରରେ ନଅଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା ।ପୂର୍ବରୁ ରାଷ୍ଟ୍ରପତି ୮ ଏପ୍ରିଲ୍, ୨୦୨୩ରେ ଆସାମର ତେଜପୁର ବାୟୁସେନା ଷ୍ଟେସନରେ ଏକ ସୁଖୋଇ-୩୦ MKI ଯୁଦ୍ଧ ବିମାନ ଉଡ଼ାଇଥିଲେ । ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମ ଏବଂ ପ୍ରତିଭା ପାଟିଲ ଲୋହେଗାଓଁ ବାୟୁସେନା ଷ୍ଟେସନରେ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ଉଡ଼ାଇଥିଲେ । ରାଫେଲ ହେଉଛି ଭାରତର ସବୁଠାରୁ ଉନ୍ନତ ଯୁଦ୍ଧ ବିମାନ ମଧ୍ୟରୁ ଗୋଟିଏ, ଯାହା ଫ୍ରାନ୍ସରୁ ଅଧିଗ୍ରହଣ କରାଯାଇଥିଲା । ୨୨୨୨ କିମି ପ୍ରତି ଘଣ୍ଟା ସ୍ପିଡରେ ଉଡୁଥିବା ଅତ୍ୟାଧୁନିକ ଫାଇଟର ଜେଟ ।
