Odia News Portal

ଟେକ୍ ଅଫ୍ ସମୟରେ ରନଓେ୍ବରୁ ଖସିଲା ପ୍ରାଇଭେଟ ଜେଟ୍, ସମସ୍ତ ଯାତ୍ରୀ ଏବଂ ପାଇଲଟ ସୁରକ୍ଷିତ

ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ ରନୱେରୁ ଖସି ବୁଦା ଭିତରକୁ ପଶିଯାଇଥିଲା । ଏହା ଫଳରେ ସମସ୍ତ ଯାତ୍ରୀ ଏବଂ ଦୁଇଜଣ ପାଇଲଟ୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଥିରେ ପାଇଲଟଙ୍କୁ ମିଶାଇ ୬ ଜଣ ରହିଥିଲେ ।

ସୂଚନା ମୁତାବକ, ଫର୍ରୁଖାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଘରୋଇ ଜେଟଟି ଏକ ବିୟର ଫ୍ୟାକ୍ଟ୍ରି ଏମଡି ଅଜୟ ଅରୋରାଙ୍କର ଥିଲା । ସେ ଏକ ଶିଳ୍ପାଞ୍ଚଳରେ ନିର୍ମାଣାଧୀନ କମ୍ପାନୀର ଯାଞ୍ଚ ପାଇଁ ଉଡ଼ାଣ କରୁଥିଲେ । ଘଟଣା ବିଷୟରେ ସୂଚନା ପାଇବା ପରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏୟାରଷ୍ଟ୍ରିପରେ ରନୱେରୁ ଘରୋଇ ଜେଟ୍ ଖସି ସିଧା ଯାଇ ବୁଦା ମୂଳେରେ ପଶିଯାଇଥିଲା । ଘଟଣା ବିଷୟରେ ସୂଚନା ପାଇବା ପରେ ଏସଡିଏମ୍, ଡିଏସପି, ଅଗ୍ନିଶମ ବାହିନୀ ଏବଂ ପୋଲିସ ପହଞ୍ଚିଥିଲେ । ବିମାନରେ ବିୟର ଫ୍ୟାକ୍ଟ୍ରିର ଏମଡି, ଏସବିଆଇ ମୁଖ୍ୟ ସୁମିତ ଶର୍ମା, ଡିପିଓ ରାକେଶ ଟିକୁ ଏବଂ ଦୁଇ ପାଇଲଟ୍, କ୍ୟାପ୍ଟେନ୍ ନସିବ ବାମଲ ଏବଂ ପ୍ରତୀକ ଫର୍ଣ୍ଣାଣ୍ଡିଜ୍ ଥିଲେ । ଉଡ଼ାଣ ଭରିବା ସମୟରେ ଘରୋଇ ଜେଟଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ବି କେହି ଆହତ ହୋଇନଥିବା ଜଣାଯାଇଛି ।

ବିମାନଟି ରନୱେରୁ ଖସିବାର କାରଣ ଖୋଜାଚାଲିଛି । ବୈଷୟିକ ତ୍ରୁଟି କିମ୍ବା ରନୱେରେ କିଛି ସମସ୍ୟା ଯୋଗୁଁ ଏଭଳି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଘଟଣାର ଯାଞ୍ଚ ଚାଲିଛି ।