ଓଡ଼ିଶା ରାଜ୍ୟ ଆଇନ ଆୟୋଗ ଗଠନ ପରେ ୨୮୮ଟି ଅଦରକାରୀ ଆଇନ ପ୍ରତ୍ୟାହର ପାଇଁ ପ୍ରସ୍ତାବ ଆସିଛି । ଏହା ସହ ୮ଟି ପ୍ରମୁଖ ଆଇନ ସଂଶୋଧନ ପାଇଁ ମଧ୍ୟ ପ୍ରସ୍ତାବ ମିଳିଛି । ଅଦରକାରୀ ଆଇନ ପ୍ରତ୍ୟାହାର ଓ ସଂଶୋଧନ କରି ଆଇନ ବ୍ୟବସ୍ଥାରେ ସୁଧାର ଆଣିବା ସରକାରଙ୍କ ଲକ୍ଷ୍ୟ ରହିଛି । ବିକଶିତ ଓଡ଼ିଶା ଗଠନ ସ୍ୱପ୍ନକୁ ପୂରଣ କରିବା ସହ ଓଡ଼ିଆ ଅସ୍ମିତାକୁ ଏକ ନୂଆ ଦିଗ ପ୍ରଦାନ କରିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଓ ଅଭିମୁଖ୍ୟ ନେଇ ଓଡ଼ିଶା ରାଜ୍ୟ ଆଇନ ଆୟୋଗ ଗଠନ ପରିକଳ୍ପନା କରିଥିଲେ, ତାହାର ଏକ ବର୍ଷ ପୂର୍ତ୍ତି ସହ ରାଜ୍ୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ଲିପିବଦ୍ଧ ହୋଇ ରହିବ । ଆଇନ ଆୟୋଗ ଗଠନର ଏକ ବର୍ଷ ପୂର୍ତ୍ତି ହୋଇଛି । ଦେଶ ସ୍ୱାଧୀନତାକୁ ଅନେକ ବର୍ଷ ବିତିଥିଲେ ମଧ୍ୟ ଅନେକ ଅଦରକାରୀ ଆଇନ ଏବେ ବି ବଳବତ୍ତର ରହିଛି । ମଧ୍ୟସ୍ଥତା ଆଇନ ପ୍ରଣୟନ, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ଆଦିର ପ୍ରଣୟନ ଯୁଗୋପଯୋଗୀ ସାବ୍ୟସ୍ତ ହୋଇଛି । ୨୮୮ ଅଦରକାରୀ ଆଇନ ପ୍ରତ୍ୟାହାର ଓ ୮ ପ୍ରମୁଖ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ ରହିଛି । ସରକାର ଏହା ଉପରେ ବିଚାର ବିମର୍ଷ କରୁଛନ୍ତି ।”ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଇନ ଆୟୋଗଙ୍କ ୨୦୨୫-୨୬ ବର୍ଷ ପାଇଁ ବାର୍ଷିକ ରିପୋର୍ଟ ଉନ୍ମୋଚନ କରିଛନ୍ତି । ଏହା ସହ ସେ ନୂତନ ୱେବସାଇଟ https://law.odisha.gov.in/or/odisha-state-law-commissionର ଲୋକାର୍ପଣ କରିଛନ୍ତି । ୱେବସାଇଟ ପାରଦର୍ଶିତା ସୁନିଶ୍ଚିତ କରିବ ଏବଂ ଆଇନ ସଂଶୋଧନରେ ସାଧାରଣ ଲୋକଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହନ ଦେବ ବୋଲି ମନ୍ତ୍ରୀ କହିଛନ୍ତି । ଏଥି ସହିତ ରାଜ୍ୟ ଆଇନଗୁଡ଼ିକର ଆଧୁନିକୀକରଣକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ । ସେହିପରି ବାର୍ଷିକ ରିପୋର୍ଟ ହେଉଛି ଆୟୋଗର ସତ୍ୟନିଷ୍ଠ ପ୍ରୟାସ ଏବଂ ସମର୍ପଣର ପ୍ରତିଫଳନ ।ଆଇନ ଆୟୁକ୍ତ ବିଶ୍ୱନାଥ ରଥ ଓଡ଼ିଶା ରାଜ୍ୟ ଆଇନ ଆୟୋଗ ଗଠନ, କାର୍ଯ୍ୟଧାରା ଏବଂ ଲକ୍ଷ୍ୟ ପୂରଣ ଦିଗରେ କରିଥିବା କାର୍ଯ୍ୟ ବିଷୟରେ ବକ୍ତବ୍ୟ ରଖିଛନ୍ତି । ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ପବିତ୍ର ମୋହନ ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଛନ୍ତି ।
