Odia News Portal

ପକ୍ଷୀ ସହିତ ଧକ୍କା ଖାଇବା ପରେ ଭୁବନେଶ୍ୱରରେ ଅବତରଣ କଲା ପୁଣେ ଯାଉଥିବା ‘ଏୟାର ଏସିଆ’

ଗୁରୁବାର ଦିନ ପକ୍ଷୀ ସହିତ ଧକ୍କା ଖାଇବା ପରେ ପୁଣେ ଅଭିମୁଖେ ଯାଉଥିବା ‘ଏୟାର୍‌ ଏସିଆ’ର ଗୋଟାଏ ବିମାନ ଭୁବନେଶ୍ବରସ୍ଥିତ ‘ବିଜୁ ପଟ୍ଟନାୟକ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ ପୋର୍ଟ’ରେ ଜରୁରୀ ଅବତରଣ କରିଥିବା କଥା ‘ଏୟାର୍‌ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ’ ସୂଚନା ଦେଇଛି।

ଘଟଣା ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି, ଉଡ଼ାଣ ଆରମ୍ଭ କରିବା ପରେ ପରେ ପକ୍ଷୀ ସହିତ ଧକ୍କା ଖାଇବା ଘଟଣା କାରଣରୁ ପୁଣେ ଯାଉଥିବା ‘ଏୟାର୍‌ ଏସିଆ’ ବିମାନ ଭୁବନେଶ୍ବରେ ଥିବା ‘ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର’ରେ ଜରୁରୀ ଅବତରଣ କରିଛି। ବିମାନଟିକୁ ଯାଞ୍ଚ କରାଯାଉଛି। ସମସ୍ତ ଯାତ୍ରୀ ନିରାପଦ ଅଛନ୍ତି।

ଘଟଣା ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ଏୟାର୍‌ ଏସିଆ’ କହିଛି ଯେ, ପକ୍ଷୀ ଧକ୍କା ପରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିମନ୍ତେ ବିମାନଟି ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଥିଲା।

‘ଏୟାର୍‌ ଏସିଆ’ର ମୁଖପାତ୍ର କହିଛନ୍ତି, ଭୁବନେଶ୍ବରୁ ପୁଣେ ଯାତ୍ରା କରୁଥିବା ‘ଭିଟି-ଏଟିଏଫ୍‌’ ଉଡ଼ାଣ ଆରମ୍ଭ କରିବା ପରେ ପକ୍ଷୀ ସହିତ ଧକ୍କା ଖାଇ ଟିକିନିଖି ଯାଞ୍ଚ ହେବା ନିମନ୍ତେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଛି। ଆମେ ଯାତ୍ରୀମାନଙ୍କ ଭଲମନ୍ଦ ବୁଝାବୁଝି କରିବା ସହିତ ଅନ୍ୟାନ୍ୟ ବିମାନ ଉଡ଼ାଣ/ଅବତରଣକୁ ଯଥା ସମ୍ଭବ କମ୍‌ ପ୍ରଭାବିତ କରିବାକୁ ଉଦ୍ୟମ କରୁଛୁ। ଆମ କର୍ତ୍ତୃତ୍ବ ବାହାରେ ଘଟିଥିବା ପରିସ୍ଥିତିଜନିତ ଅସୁବିଧା ଲାଗି ଦୁଃଖିତ।