ବିଧାନସଭାରେ ଚାଷୀ ପ୍ରସଙ୍ଗରେ ବିରୋଧୀ ବିଜେଡିର ନାରାବାଜି । ‘କହିଥିଲ ଠନ ଠନ.. ଦେଖାଇଦେଲ ଲଣ୍ଠନ..’ ଏମିତି ସ୍ଲୋଗାନରେ କଂପିଲା ଗୃହ। ଆଜି ମଧ୍ୟ ବିଧାନସଭା ଆରମ୍ଭରୁ ଧୋଇଗଲା ପ୍ରଶ୍ନକାଳ । ପ୍ରଶ୍ନକାଳ ଆରମ୍ଭରୁ ଉଭୟ ବିଜେଡି, କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ବିରୋଧ ପ୍ରଦର୍ଶନ କରିଥିଲେ। ଚାଷୀମାନଙ୍କ ପ୍ରତି ଧୋକା ଦେଇଛନ୍ତି ରାଜ୍ୟ ସରକାର.. ଏଭଳି ଲେଖା ଥିବା ପ୍ଲାକାର୍ଡ ଧରି ବିଜେଡି ବିଧାୟକମାନେ ପ୍ରତିବାଦ କରିଥିଲେ।
ସେହିପରି ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଅପମାନଜନକ ଶବ୍ଦ ବ୍ୟବହାରକୁ ନିନ୍ଦା କରି କଂଗ୍ରେସ ବିଧାୟକମାନେ ହୋହଲ୍ଲା ପ୍ରଦର୍ଶନ କରିଥିଲେ। ସଂସଦରେ ରାହୁଲଙ୍କୁ ଅପମାନଜନକ ଶବ୍ଦ କରିଥିବାରୁ ହର ଦୀପ ସିଂ ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ ।
ଆଜି ପ୍ରଶ୍ନକାଳ ଆରମ୍ଭରୁ, ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ଗୃହରେ ଉତ୍ତର ରଖୁଥିବାବେଳେ ବିରୋଧୀଙ୍କ ନାରାବାଜି ଯୋଗୁ ଗୃହ ବାଧାପ୍ରାପ୍ତ ହୋଇଥିଲା। ବାଚସ୍ପତି ଗୃହରେ ଶାନ୍ତି ବଜାୟ ରଖିବାକୁ ଅପିଲ କରିଥିଲେ। ବିରୋଧୀ ଜିଦରେ ଅଟଳ ରହି ପ୍ରତିବାଦ କରୁଥିଲେ । ଫଳରେ ବାଚସ୍ପତି ଗୃହକୁ ଦିନ ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ।
ଚାଷୀଙ୍କ ପାଇଁ ଲଢ଼େଇ କରିବ ବିଜେଡି
ଧାନର ଅଭାବୀ ବିକ୍ରି ଅଭିଯୋଗ ଆଣି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା ବିଜେଡି । ଚାଷୀ ମାରଣ ନୀତି ଚଳିବ ନାହିଁ କି କଟନୀ ଛଟନୀ ନୀତି ଚଳିବ ନାହିଁ ବୋଲି ନାରା ଦେଇଥିଲା ବିଜେଡି । ଚାଷୀଙ୍କ ପାଇଁ ରାଜରାସ୍ତାରେ ଲଢ଼େଇ କରିବ ବୋଲି ବି କହିଥିଲା । ବିଜେଡି ବିଧାୟକଙ୍କ ସରକାର ବିରୋଧୀ ସ୍ଲୋଗାନରେ ଗୃହ କଂପି ଉଠୁଥିଲା । ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ହୋହଲ୍ଲା ପ୍ରଦର୍ଶନ କରିଥିଲେ । ‘ସରକାର କହିଥିଲେ, ଚାଷୀଙ୍କୁ ଠନ ଠନ ଗଣିବେ, ହେଲେ ବାସ୍ତବରେ ଲଣ୍ଠନ ଦେଖାଇଦେଲେ’ ବୋଲି ସ୍ଲୋଗାନମାନ ଦେଇଥିଲେ ବିଜେଡି ବିଧାୟକ ।
ବଜେଟ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ପ୍ରଦର୍ଶନରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇ ଆସୁଛି । ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରୁ ନାହିଁ । ରାଜ୍ୟର ବହୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇ ନ ପାରିବାରୁ ବିରୋଧୀମାନେ ସରକାରଙ୍କୁ ଦୋଷ ଦେଇଛନ୍ତି । ଅନ୍ୟପକ୍ଷେ ଚାଷୀ ପ୍ରସଙ୍ଗରେ, ଧାନର ଅଭାବୀ ବିକ୍ରି, କଟନୀ ଛଟନୀ ବିଷୟରେ ସରକାର ପଦକ୍ଷେପ ନେଇଛନ୍ତି ବୋଲି ଶାସକ ଦଳ ଜବାବ ରଖିଛନ୍ତି । ତେବେ ବିରୋଧୀ ଦୋଷ ଦେଇ ଖସିଯିବାକୁ ବସିଥିବା ସ୍ପଷ୍ଟ ହେଉଛି ବୋଲି ଶାସକ ଦଳ ଅଭିଯୋଗ ଆଣିଛନ୍ତି । ତେଣୁ ଗୃହ କାର୍ଯ୍ୟ ଚାଲିବା ପାଇଁ ସହଯୋଗ କରିବାକୁ ବିରୋଧୀଙ୍କୁ ବାଚସ୍ପତି ଅନୁରୋଧ କରିଛନ୍ତି ।
ଆସନ୍ତାକାଲି ବିଜେଡି କରିବ ଚାଷୀ ସମାବେଶ
ବିଧାନସଭାର 6ଷ୍ଠ ଦିନରେ ବିରୋଧୀଙ୍କ ହୋହଲ୍ଲା ନାରାବାଜୀରେ ଗୃହ କମ୍ପୁଛି । ସ୍ୱାଭାବିକ ଭାବରେ କାର୍ଯ୍ୟ ହୋଇ ପାରୁନି । ଏହାକୁ ଦେଖି ଆଜି ପ୍ରଶ୍ନକାଳ ୧୦.୩୭ରୁ ୧୧. ୩୦ ଯାଏ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ଆସନ୍ତାକାଲି ଭୁବନେଶ୍ୱର ପିଏମଜିରେ ରାଜ୍ୟସ୍ତରୀୟ ଚାଷୀ ସମାବେଶ ଡାକରା ଦେଇଛି ବିଜେଡି । ଏହି ସମାବେଶରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।
