ଅନୁଗୁଳ ଜିଲ୍ଲାର ପରଙ୍ଗ ଡ୍ୟାମରେ ମାଛ ମଡକ । ଡ୍ୟାମରେ ମରି ପଡ଼ିରହିଛି କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ । ଡ୍ୟାମରେ ଥିବା ଛୋଟ ମାଛଠୁ ଆରମ୍ଭ କରି ବଡ଼ ବଡ଼ ମାଛ ଯାଏଁ ସବୁ ମରି ପାଣିରେ ଭାସୁଛନ୍ତି । ଏପଟେ ପାଣିର ରଙ୍ଗ ବି ଏମିତି କଳା ପଡ଼ିଛି ଯେ ଦେଖିଲେ ଭୟ ଲାଗୁଛି ।ମାଛ ମଡକ ଦେଖି ଚିନ୍ତାରେ ନିଲାମରେ ନେଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ପରଙ୍ଗ ପଞ୍ଚାୟତର ବ୍ରାହ୍ମଣୀ ଦେବୀ ସ୍ବୟଂ ସହାୟକ ଗୋଷ୍ଠୀ ଋଣ କରି ପରଙ୍ଗ ଡ୍ୟାମରେ ୬୦ ଲକ୍ଷ ଟଙ୍କାର ମାଛ ଜାଆଁଳ ଛାଡିଥିଲେ । ଲକ୍ଷ୍ୟ ଥିଲା ଦି ପଇସା ରୋଜଗାର ହେବ, ଗୁଜୁରାଣ ମେଣ୍ଟାଇବା ସହ ନିଜେ ସ୍ବାବଲମ୍ବୀ ହେବେ । କିନ୍ତୁ ଦାଉ ସାଧିଲା କଳ କାରଖାନାର କେମିକାଲ ପାଣି । ନିକଟରେ ଥିବା ଏକ ଘରୋଇ ଇସ୍ପାତ କମ୍ପାନୀର କାରଖାନାରୁ ବାହାରୁଥିବା ବର୍ଜ୍ୟ ବସ୍ତୁ ଓ କେମିକାଲକୁ ଡ୍ୟାମ ପାଣିରେ ଛାଡ଼ିବା ଦ୍ବାରା ମାଛ ମରୁଥିବା ଅଭିଯୋଗ ଆଣିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ସ୍ଥାନୀୟ ସରପଞ୍ଚ । ଏନେଇ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ପାଣିର ନମୁନା ସଂଗ୍ରହ କରାଗଲେ ନିଶ୍ଚିତ ଭାବେ ତଥ୍ୟ ଆସିବ । ରାସାୟନିକ ବର୍ଜ୍ୟଜଳ କାରଣରୁ ଏଠାକାର ମାଛ ବଂଶ ଲୋପ ପାଇବାକୁ ବସିଛି । ଯଦି ଏଥିପ୍ରତି ପ୍ରଦୂଷଣ ବିଭାଗ ଦୃଷ୍ଟି ନ ଦିଅନ୍ତି ତେବେ ଆଗାମୀ ଦିନରେ ମତ୍ସଜୀବିମାନେ ଜୀବିକା ହରାଇବେ ଏଥିରେ ଦ୍ଵନ୍ଦ ନାହିଁ ।
