Odia News Portal

ବିଜେପି ଛାଡ଼ିଲେ ରାଜ୍ୟ ପୂର୍ବତନ ଉପସଭାପତି

ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା ତଥା ଦଳର ପୂର୍ବତନ ରାଜ୍ୟ ଉପସଭାପତି ଦେବାନନ୍ଦ ମହାପାତ୍ର ପାର୍ଟି ଛାଡ଼ିଛନ୍ତି । ୧୯୮୮ ମସିହାରୁ ଏଯାବତ୍ ସେ ଦଳ ସହ ସମ୍ପୃକ୍ତ ରହି ଆସିଥିଲେ । ହିଞ୍ଜିଳିକାଟୁ ମଣ୍ଡଳ ସଭାପତି , ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି , ଜିଲ୍ଲା ସଭାପତି , ରାଜ୍ୟ ସମ୍ପାଦକ , ରାଜ୍ୟ ଉପସଭାପତି , ରାଜ୍ୟ କୃଷକ ମୋର୍ଚ୍ଚା ପ୍ରଭାରୀ , ଜିଲ୍ଲା ପ୍ରଭାରୀ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ସାଙ୍ଗଠନିକ ଦାୟିତ୍ବ ନିର୍ବାହ କରିଥିଲେ ସେ ।

୨୦୦୯ ଓ ୨୦୧୪ରେ ହିଞ୍ଜିଳିକାଟୁ ବିଧାନସଭା ନିର୍ବାଚନମଣ୍ଡଳୀରେ ସେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ପ୍ରତିଦ୍ବନ୍ଦିତା କରିଥିଲେ । ନିଜ ଇସ୍ତଫା ଅବସରରେ ସେ ଦଳର ରାଜ୍ୟ ନେତୃବୃନ୍ଦଙ୍କ ଉପରେ ବର୍ଷିଛନ୍ତି । ସେ ଗୁରୁତର ଅଭିଯୋଗ କରିଛନ୍ତି ଯେ- ସମ୍ପ୍ରତି ରାଜ୍ୟ ବିଜେପିରେ ଏକଛତ୍ରବାଦ ବୃଦ୍ଧି ପାଇଛି । ଦଳର କିଛି ରାଜ୍ୟସ୍ତରୀୟ ଶୀର୍ଷ ନେତା କ୍ଷମତାର ଅପବ୍ୟବହାର କରି ପ୍ରକୃତ କର୍ମୀଙ୍କୁ ଅଣଦେଖା କରୁଛନ୍ତି । ଜନବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ମହିଳା ଓ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ଅସମ୍ମାନ ଓ ଅପମାନିତ କରାଯାଉଛି ।

ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି ଯେ- ୨୦୧୯ ସାଧାରଣ ନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ଚକ୍ରାନ୍ତ କରି ହିଞ୍ଜିଳିକାଟୁ ବିଧାନସଭା କ୍ଷେତ୍ରରୁ ମୋତେ ଦଳୀୟ ଟିକଟରୁ ବଞ୍ଚିତ କରିଥିଲେ । ତାଙ୍କ ଅହଙ୍କାର , ଏକଛତ୍ରବାଦ ନୀତି , ଅଭଦ୍ର ବ୍ୟବହାର ସହ ରାଜ୍ୟ ନେତୃବୃନ୍ଦଙ୍କ ଅପାରଗତା , ପରିବାର ତୁଷ୍ଟୀକରଣ , ତେଲମରା ନୀତି ଯୋଗୁଁ ଦଳରେ ଚାଟୁକାରଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ସ୍ଥାନୀୟ ନେତା ଓ କର୍ମୀଙ୍କୁ ହତାଦର କରାଯାଉଛି ଓ ପୁଞ୍ଜିପତିମାନଙ୍କୁ ଦଳର ରାଜ୍ୟ ନେତୃତ୍ଵ ଗୁରୁତ୍ଵ ଦେଉଛି । ଅହଙ୍କାରୀ ବିଜେପି ନେତାଙ୍କ ସଙ୍ଗଠନ ବିରୋଧୀ ଓ ଜନବିରୋଧୀ କାର୍ଯ୍ୟକୁ ମୁଁ ବିରୋଧ କରିଥିଲି ।

ଏହି ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଆଶା କରିଥିଲି । ମାତ୍ର ଅହଙ୍କାରୀ କ୍ଷମତାଲିପ୍‌ ନେତାମାନେ ସେମାନଙ୍କ ବ୍ୟବହାରକୁ ପରିବର୍ତ୍ତନ କଲେ ନାହିଁ । ଏହା ପ୍ରତିବାଦରେ ମୁଁ ଦଳର ସଦସ୍ୟତା ପଦରୁ ଇସ୍ତଫା ଦେଉଛି । ସେ ନିଜ ଇସ୍ତଫା ପତ୍ର କେନ୍ଦ୍ରୀୟ ସଭାପତି , କେନ୍ଦ୍ର ଗୃହ ମନ୍ତ୍ରୀ , କେନ୍ଦ୍ର ସଙ୍ଗଠନ ମହାମନ୍ତ୍ରୀ , କେନ୍ଦ୍ରରୁ ଓଡ଼ିଶା ପ୍ରଭାରୀ , ରାଜ୍ୟ ସଙ୍ଗଠନ ମନ୍ତ୍ରୀ , ଜିଲ୍ଲା ସଭାପତିଙ୍କୁ ପ୍ରଦାନ କରିଛନ୍ତି । ଏଥିସହ ଶୀଘ୍ର ହିଞ୍ଜିଳିକାଟୁ ବିଧାନସଭା ଓ ଗଞ୍ଜାମ ଜିଲ୍ଲାର ବହୁ ନେତା ତଥା କର୍ମୀ ଦଳରୁ ଇସ୍ତଫା ଦେବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।