Odia News Portal

ଭୁବନେଶ୍ୱରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଦକ୍ଷିଣ ଝାଡ଼ଖଣ୍ଡ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ହେବା ଫଳରେ ଆଜି ଉତ୍ତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଓଡ଼ିଶା ଓ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୪ରୁ ୫ ଦି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଏବେ ରାଜଧାନୀ ଭୁବନେଶ୍ୱରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେଉଛି । ଫଳରେ ବିଭିନ୍ନ ସ୍ଥାନରେ ଆଣ୍ଡୁଏ ଉଚ୍ଚର ପାଣି ଜମିଛି ।ତେବେ ରାଜଧାନୀରେ ପାଣି ଜମିବା ଯୋଗୁଁ ଯାନବାହାନ ଯାତାୟତ ବାଧାପ୍ରାପ୍ତ ହୋଇଛି । ରସୁଲଗଡ଼କୁ ଛାଡ଼ି ବୋମିଖାଏ, ସହିଦନଗର ଓ ଇସ୍କନ ମନ୍ଦିର ସମ୍ମୁଖରେ ପାଣି ଜମିଥିବା ଦେଖିବାକୁ ମିଳିଛି । କେବଳ ଆଜି ନୁହେଁ, ଲଗାଣ ବର୍ଷା ହେଲେ ଏହି ସ୍ଥାନଗୁଡ଼ିକରେ ସବୁବେଳେ ପାଣି ଜମିଥାଏ । ଏହାରି ମଧ୍ୟରେ ଡ୍ରେନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜନତା ।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷର ଜାରି ସତର୍କ ସୂଚନା ଅନୁଯାୟୀ ଆଗାମୀ ୨୪ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ବର୍ଷାର ସମ୍ଭାବନା ରହିଥିବା ବେଳେ ରାଜ୍ୟର ୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ଏବଂ ୧୭ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସୋମବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର କେନ୍ଦୁଝର, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି।

ତେବେ ଚଳିତ ବର୍ଷ ଜୁନ୍ ୧ ରୁ ୨୯ ମଧ୍ୟରେ ଓଡିଶା ହାରାହାରି ତୁଳନାରେ ୪୦ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଛି। ଜୁନ୍ ୧ ରୁ ୧୪ ମଧ୍ୟରେ ରାଜ୍ୟରେ ୮୦% ନିଅଣ୍ଟ ଦେଖାଦେଇଛି କିନ୍ତୁ ଜୁନ୍ ୧୬ ରେ ମୋୖସୁମୀ ବର୍ଷା ବୃଦ୍ଧି ପାଇବା ପରେ ନିଅଣ୍ଟ ୪୦% କୁ ହ୍ରାସ ପାଇଛି। ଆଗକୁ ଲଘୁଚାପ ବର୍ଷ ପ୍ରଭାବରେ ଏହି ନିଅଣ୍ଟିଆର ଅଭାବ ପୁରାଣ ହେବେ ବୋଲି ଆଶା କରାଯାଉଛି।