ସଂପ୍ରତି ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ଆଗକୁ ଆହୁରି ୫ ଦିନ ପର୍ଯ୍ୟନ୍ତ ଜାରି ରହିବ। ଦିନବେଳା ରାଜ୍ୟବାସୀ ପ୍ରବଳ ଗରମ ଓ ଅସହ୍ୟ ତାତିରେ ସିଝିବେ। ତେବେ, ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଅସହ୍ୟ ତାତିରୁ କିଛିଟା ଆଶ୍ୱସ୍ତି ପ୍ରଦାନ କରିବ।ଏହି କ୍ରମରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୧୬ ତାରିଖ ଶୁକ୍ରବାର ଅପରାହ୍ନ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ପ୍ରଭୃତି ୧୦ଟି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ଝଡ଼ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ବଜ୍ରପାତ ସମୟରେ ଲୋକଙ୍କୁ ପାଣିପାଗ ଉପରେ ନଜର ରଖି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି।
ଏହି ସମୟ ମଧ୍ୟରେ ଟୁଇନ୍ ସିଟି ଭୁବନେଶ୍ୱର ଓ କଟକ ଏବଂ ଏହାର ଆଖପାଖ ଅଞ୍ଚଳରେ ଅପରାହ୍ନ/ସନ୍ଧ୍ୟାରେ ବର୍ଷା/ବଜ୍ରପାତ ହେବାର ସମ୍ଭାବନା ରହିଛି।ଅନ୍ୟପକ୍ଷରେ ଆସନ୍ତା କାଲି ଅର୍ଥାତ୍ ୧୬ ତାରିଖରେ ଦିନ ସମୟରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଦେବଗଡ଼, ନୂଆପଡ଼ା, ସୁନ୍ଦରଗଡ଼ କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, କନ୍ଧମାଳ, କଳାହାଣ୍ଡ, କଟକ, ଖୋର୍ଦ୍ଧା, ନୟାଗଡ଼ ଓ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେଜ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲାକୁ ଜିଲ୍ଲା ପାଇଁ କମଳା ଚେତାବନୀ ବା ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।