Odia News Portal

ଆସିଲା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ

କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଶ୍ବାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ଅଛି । ମୃତ୍ୟୁ ପରେ ମୁଣ୍ଡରେ କ୍ଷତ ଚିହ୍ନ ରହିଛି । ଗୁରୁଡିଝାଟିଆ ପୋଲିସକୁ ପୋଷ୍ଟମଟମ୍ ରିପୋର୍ଟ ହସ୍ତାନ୍ତର କରାଯାଇଛି । ମୃତ୍ୟୁର କାରଣ ଜାଣିବାକୁ ଭିସେରା ରିପୋର୍ଟକୁ ଅପେକ୍ଷା । ମୃତ୍ୟୁ ପୂର୍ବରୁ ରାଜଶ୍ରୀ କପୁରସିଂହ ପେଟ୍ରୋଲ ପମ୍ପରେ ଶେଷଥର ପାଇଁ ସ୍କୁଟିରେ ପେଟ୍ରୋଲ ପକାଇଥିଲେ ।

ତାଙ୍କ ଗାଡ଼ି ଡିକିରୁ ପେଟ୍ରୋଲ ବିଲ୍‌ ସହ ଏଟିଏମ୍ କାର୍ଡ ଜବତ ହୋଇଛି । ପେଟ୍ରୋଲ ପମ୍ପ ଠାରୁ ମାତ୍ର ୧ କିଲୋମିଟର ଦୂରରେ ମିଳିଥିଲା ରାଜଶ୍ରୀଙ୍କ ମୃତଦେହ । ସେ ପେଟ୍ରୋଲ ପକାଇବାର ସିସିଟିଭି ଦୃଶ୍ୟ ଯାଞ୍ଚ କରୁଛି ପୋଲିସ । ଗତ ୧୩ ତାରିଖରେ ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଆଠଗଡ ସୁବାସିଂ ଜଙ୍ଗଲରୁ ମିଳିଥିଲା । ୨୦୧୪-୧୫ ଓଡିଶା ସିନିୟର ମହିଳା କ୍ରିକେଟ ଟିମରେ ଖେଳୁଥିଲେ ରାଜଶ୍ରୀ।

ତେବେ ପୁଡୁଚେରୀ ବିପକ୍ଷ ଦିନିକିଆ ପାଇଁ ଚୂଡାନ୍ତ ଦଳରେ ସେ ସ୍ଥାନ ନ ପାଇବାରୁ ଦୁଶ୍ଚିନ୍ତାରେ ଥିଲେ। ୧୧ତାରିଖରେ ଘରକୁ ଯିବାକୁ କହି ହୋଟେଲରୁ ବାହାରିଥିଲେ, ହେଲେ ଘରେ ପହଞ୍ଚିନଥିଲେ। ଏନେଇ କଟକ ମଙ୍ଗଳାବାଗ ଥାନାରେ ତାଙ୍କ କୋଚ୍ ଏତଲା ଦେଇଥିଲେ । ଏତଲା ପରେ ଖୋଜାଖୋଜି ବେଳେ ସୁବାସିଂ ଜଙ୍ଗଲରୁ ତାଙ୍କ ସ୍କୁଟି ଓ ହେଲମେଟ୍ ମିଲିଥିଲା । ପରେ ଜଙ୍ଗଲ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି ।