Odia News Portal

ରାମ ମନ୍ଦିର ଦାନଅର୍ଥ ଚୋରି ମାମଲା, ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏବଂ ଅନିଲ ମିଶ୍ରା ଦେଲେ ଇସ୍ତଫା

ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଇସ୍ତଫା ଦେଇଛନ୍ତି । ଅଯୋଧ୍ୟା ରାମ ମନ୍ଦିର ଦାନଅର୍ଥ ଚୋରି ମାମଲାକୁ ନେଇ ଇସ୍ତଫା ଦେବାକୁ ତାଙ୍କ ଉପରେ ଚାପ ପଡୁଥିଲା । କେବଳ ଚମ୍ପତ ରାୟ ନୁହେଁ ଟ୍ରଷ୍ଟର ସଦସ୍ୟ ଅନିଲ ମିଶ୍ରା ମଧ୍ୟ ଇସ୍ତଫା ଦେଇଛନ୍ତି । ରାମ ଜନ୍ମଭୂମି ଟ୍ରଷ୍ଟର ଦୁଇ ଜଣ ସଦସ୍ୟ ଚମ୍ପତ ରାୟ ଏବଂ ଅନିଲ ମିଶ୍ରା ଇସ୍ତଫା ଦେଇଛନ୍ତି । ଏସଆଇଟିର ତଦନ୍ତ ରିପୋର୍ଟ ପରେ ଉଭୟ ଇସ୍ତଫା ଦେଇଛନ୍ତି । ଏସଆଇଟିର ସୁପାରିଶ କ୍ରମେ ଘଟଣାରେ ପୂର୍ବରୁ ଏଫଆଇଆର ରୁଜୁ ହୋଇ ସାରିଛି । ଏସଆଇଟି ରିପୋର୍ଟ ଆଧାରରେ ଏଫଆଇଆର ଦାୟର ହୋଇ ମାମଲାର ଯାଞ୍ଚ ଲଗାତାର କରାଯାଉଛି ।

ରାମ ମନ୍ଦିରକୁ ଦାନ କରାଯାଇଥିବା ଅର୍ଥ ଏବଂ ଅନେକ ଅଳଙ୍କାର ଚୋରି ଅଭିଯୋଗରେ ପୂର୍ବରୁ ପୋଲିସ ଆକ୍ସନ ନେଇଛି । ଏହି ମାମଲାରେ ୮ଜଣଙ୍କୁ ଏବେ ସୁଦ୍ଧା ଗିରଫ କରାଯାଇଛି । ଚୋରି ମାମଲାରେ ଗିରଫ ହୋଇଥିବା ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ରମାକାନ୍ତ ଓରଫ ଟିନୁ ଯାଦବ, ସୁଭାଷ ଶ୍ରୀବାସ୍ତବ, ଅନୁକଲ୍ପ ମିଶ୍ର, ଲାଭକୁଶ ମିଶ୍ର, ଅଭିନାଶ ଶୁକ୍ଳା, କରୁଣେଶ ପାଣ୍ଡେ, ମନୀଷ ଯାଦବ ଏବଂ ରମାଶଙ୍କର ମିଶ୍ର ସାମିଲ ଅଛନ୍ତି । ଘଟଣାର ତଦନ୍ତ ବି ଚାଲିଛି ।

ଏହି ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ, ଜନତାଙ୍କ ଆସ୍ଥା ସହିତ ଖେଳୁଥିବା ଲୋକଙ୍କୁ କୌଣସି ପରିସ୍ଥିତିରେ ବି ଛଡ଼ାଯିବନି । ଏଥିସହ ଅଯୋଧ୍ୟା ଉପରେ ଆକ୍ଷେପ ନକରିବାକୁ ସେ ବିରୋଧୀଙ୍କୁ ଚେତାବନୀ ଦେଇଛନ୍ତି । ଏସଆଇଟି ରିପୋର୍ଟ ଆସିବା ମାତ୍ରେ ହିଁ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ଯେଉଁମାନେ ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ସେମାନଙ୍କ ମନସ୍କାମନା ଠିକ୍ ନୁହେଁ ବୋଲି ଯୋଗୀ କହିଛନ୍ତି ।

ପୂର୍ବରୁ ଉତ୍ତର ପ୍ରଦେଶ ସରକାର ଘଟଣାକୁ ଗୁରୁତର କହିବା ସହ ଦୋଷୀକୁ ଛଡାଯିବ ନାହିଁ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତଦନ୍ତ ସଙ୍କେତ ଦେଇଥିଲେ । ଅନିୟମିତତା ଧରା ପଡିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଥିଲେ ।