Odia News Portal

ରେପୋ ଓ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ଦ୍ୱାରା ତୃତୀୟ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା ହୋଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ରେପୋ ରେଟ୍ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରହିବ । ପୂର୍ବ ଭଳି ରେପୋ ରେଟ୍ ୪% ଓ ରିଭର୍ସ ରେପୋ ରେଟ୍ ୩.୩୫% ରହିବ ବୋଲି ସେ କହିଛନ୍ତି । ଏହା ସହ ଶକ୍ତିକାନ୍ତ କହିଛନ୍ତି ଯେ, ‘କରୋନା ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏମପିସିର ଆଶା ଅନୁଯାୟୀ ଅର୍ଥନୀତି ଅଗ୍ରଗତି କରୁଛି । ଟିକାକରଣ ଯୋଗୁଁ ଅର୍ଥନୀତିରେ ସୁଧାର ଆସୁଛି ।

‘ମନିଟାରି ପଲିସି କମିଟି’ର ବିଗତ ୭ଟି ସମୀକ୍ଷା ବୈଠକରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଥିଲା। ଗତ ବୁଧବାର ଦିନ ଆରମ୍ଭ ହୋଇଥିବା ୩ ଦିନିଆ ‘ମନିଟାରି ପଲିସି କମିଟି’ର ୮ମ ବୈଠକରେ ମଧ୍ୟ ପ୍ରମୁଖ ରେଟ୍‌ଗୁଡ଼ିକରେ ପରିବର୍ତ୍ତନ କରାଯାଇନାହିଁ। ଏହାର ଅଧ୍ୟକ୍ଷତା କରିଥିଲେ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ।

ସୁଧ ହାର ଅପରିବର୍ତ୍ତିତ ରଖିବା ଲାଗି ୬ ସଦସ୍ୟବିଶିଷ୍ଟ ‘ଏମ୍‌ପିସି’ ସର୍ବସମ୍ମତିକ୍ରମେ ମତ ଦେଇଥିଲେ। ଦେଶର ଅଭିବୃଦ୍ଧିକୁ ଆବଶ୍ୟକ ଯାଏଁ ସମର୍ଥନ ଯୋଗାଇ ଦେବା ଓ ମୁଦ୍ରାସ୍ଫିତିକୁ ନିର୍ଦ୍ଧାରିତ ଲକ୍ଷ୍ୟ ମଧ୍ୟରେ ସୀମିତ ରଖିବା ଲାଗି ଏହା ଆବଶ୍ୟକ ବୋଲି ‘ଏମ୍‌ପିସି’ କହିଛି। ଗୃହ ଏବଂ ଗାଡ଼ି ଋଣକର୍ତ୍ତାମାନଙ୍କ ପାଇଁ ଏବେ ପ୍ରଚଳିତ ଥିବା ‘ଇଏମ୍‌ଆଇ’ ପୂର୍ବ ପରି କାଏମ ରହିବ ବୋଲି ‘ମନିଟାରି ପଲିସି କମିଟି’ ଘୋଷଣା କରିଥିବା ଫଳାଫଳରୁ ଜଣାପଡ଼ିଛି।