Odia News Portal

ଜଳ, ଜଙ୍ଗଲ ଓ ଜମିକୁ ସୁରକ୍ଷା ଦେବୁ-ନିୟମରାଜା ପର୍ବ ପାଳି ଶପଥ ନେଲେ ନିୟମଗିରି ଅଧିବାସୀ

ଭବାନୀପାଟଣା: ନିୟମଗିରିର କାଣିଚାଏ କ୍ଷତି ସହବେ ନାହିଁ । ନିୟମଗିରିର ସୁରକ୍ଷା ସେମାନଙ୍କର ଲକ୍ଷ୍ୟ ନୁହେଁ ଧର୍ମ । ଏମିତି ଉଦ୍ଦେଶ୍ୟ ନେଇ ଆଦିବାସୀ ଅଞ୍ଚଳ ନିୟମଗିରିରେ ପାଳିତ ହୋଇଛି ପବିତ୍ର ନିୟମରାଜା ପର୍ବ। ପରମ୍ପରା, ପରିଚୟ ଓ ପ୍ରକୃତି ସୁରକ୍ଷାର ସନ୍ଦେଶ ନେଇ ଏହି ପର୍ବ ପାଳନ କରିଛନ୍ତି ଡଙ୍ଗରିଆ କନ୍ଧ ଆଦିବାସୀ । ଏହା ସହ ନିଜର “ଜଳ, ଜଙ୍ଗଲ ଓ ଜମି”ର ସୁରକ୍ଷା ପାଇଁ ନେଇଛନ୍ତି ଶପଥ । ପ୍ରକୃତି ରାଣୀର ପ୍ରକୃତ ଉପାସକ ହେଉଛନ୍ତି ଆଦିମ ଜନଜାତି ଡଙ୍ଗରିଆ କନ୍ଧ । ମାଟି ପାଣି ପବନକୁ ଆରାଧ୍ୟ ଦେବତା ଭାବରେ ଗ୍ରହଣ କରି ଚାଲିଛି ପୂଜାର୍ଚ୍ଚନା। ଆଦିବାସୀଙ୍କର ଏହି ସ୍ୱତନ୍ତ୍ର ରିପୋର୍ଟକୁ ନେଇ ସ୍ବତନ୍ତ୍ର ରିପୋର୍ଟ୍ ।ପ୍ରକୃତି ଚଳଣିରେ ବନ୍ଧା କଳାହାଣ୍ଡି ଜିଲ୍ଲାର ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସମାଜ । ଦାରୁଠୁ ଆରମ୍ଭ କରି ମାଟି, ପାଣି ଏବଂ ପବନକୁ ନିଜ ଆରାଧ୍ୟ ଦେବତା ଭାବେ ପୂଜା କରିଥାନ୍ତି । ସେ ଟୋକି ମରା ପର୍ବ ହେଉ ବା ମେରିଆ ପର୍ବ ସବୁଠି ରହିଛି ପ୍ରକୃତି ଉପାସକର ନିଚ୍ଛକ ଚିତ୍ର । ଯାହାକି ନିୟମରାଜା ପର୍ବରୁ ସ୍ପଷ୍ଟ ବାରି ହୋଇପଡ଼େ । ଆଜି ବି ପ୍ରକୃତି ପୂଜାର ପରମ୍ପରାକୁ ବଜାୟ ରଖିଛନ୍ତି ଡଙ୍ଗରିଆ ଜନଜାତି । ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ପାଇଁ ନିୟମରାଜାଙ୍କ ପାଖରେ ଶରଣ ପଶିଛନ୍ତି । ଜିଲ୍ଲା, ରାଜ୍ୟ, ଦେଶ ତଥା ଦେଶ ବାହାରେ ପରିଚିତ ନୀୟମଗିରିରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡଙ୍ଗରିଆ କନ୍ଧମାନେ ରୀତିନୀତି ଅନୁଯାୟୀ ପାହାଡ ଶିଖରରେ ପାଳନ କରିଛନ୍ତି ନିୟମରାଜା ପର୍ବ । ଫେବୃଆରୀ ୨୭ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ପର୍ବକୁ ଧୁମ୍ ଧାମ୍‌ରେ ପାଳନ କରାଯାଇଛି ।ଏହି ଅବସରରେ ଶତାଧିକ ଆଦିବାସୀ ପାରମ୍ପରିକ ପୋଷାକ ପିନ୍ଧି, ପୂଜାର୍ଚ୍ଚନା ସହ ନୃତ୍ୟ ଓ ସଙ୍ଗୀତରେ ମଗ୍ନ ହୋଇଥିଲେ। ନାଚଗୀତ ଓ ଭୋଜିଭାତରେ ମୁଖରିତ ହୋଇଉଠିଥିଲା ପୁରା ପରିବେଶ । ପର୍ବରେ ଛତରଟେକା ପୂଜାପୀଠରେ ବୋଦା ବଳି, କୁକୁଡା, ପାରା, ଘୁଷୁରି ଆଦି ବଳି ଦେଇଥିଲେ । ପୂଜାପୀଠ କହିଲେ ଗୋଟିଏ ପତର ଛାଉଣି ଏବଂ ଏକ ଖୁଣ୍ଟ, ପ୍ରକୃତି ପୂଜକ ଆଦିବାସୀଙ୍କ ଦେବତାଙ୍କ ମୂର୍ତ୍ତି ନାହିଁ । ରାତିସାରା ଜାନିକନ୍ଧ ଦେବାଦେବୀଙ୍କ ପୁରୁଷ ପୂଜାରୀ ଆଉ ଦିନରେ ବେଳୁଣୀ ମହିଳା ପୂଜାରୀମାନେ ନିୟମରାଜାଙ୍କ ସହିତ ପାଜେଗେଳୁ, ଜେମ୍ବୋଝନାଁ, କା-କାୱାବନ୍ଧା, ପୋକୱାଲ୍‌କା, ଗାମ୍ବରଘାଟି, ପ୍ରଭୃତି ଗ୍ରାମରେ ଥିବା ଦେବାଦେବୀଙ୍କ ନାମ ଆହ୍ବାନ କରି ପୂଜା କରିଥିଲେ ।ମାଟିର ମଣିଷମାନଙ୍କୁ ଭଲ ଫସଲ ଦେବାକୁ ଏବଂ ରୋଗ ବୈରାଗ୍ୟରୁ ଦୂରେଇ ରଖିବାକୁ ପ୍ରାର୍ଥନା କରିଥିଲେ । ନିୟମଗିରି ସମେତ ଖଣ୍ଡୁଆଳ ମାଳି, ସିଜିମାଳି, ଶାଶୁ-ବୋହୁମାଳି, ବାଫଲାମାଳି, ଗୁଣ୍ଡିରାଣୀମାଳି, କୁଟ୍ଟମାଳି ଭଳି ପାହାଡମାନଙ୍କୁ ସୁରକ୍ଷା କରିବାକୁ ସେମାନେ ପ୍ରାର୍ଥନା କରିଥିଲେ । ଜୀବନର ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ ନିୟମଗିରିର ସୁରକ୍ଷା ପାଇଁ ଲଢେଇ କରିବାକୁ ଶପଥ ନେଇଥିଲେ ଡଙ୍ଗରିଆ କନ୍ଧ ।