ରାଜସ୍ବ ନିରୀକ୍ଷକ ପଦୋନ୍ନତି ନିର୍ଦ୍ଦେଶ ଓଡ଼ିଶା ହାଇକୋର୍ଟରେ ରଦ୍ଦ By Swadhikar News Last updated Nov 1, 2025 ବରିଷ୍ଠତାକୁ ଅଣଦେଖା କରି ରାଜସ୍ବ ନିରୀକ୍ଷକ(ଆରଆଇ) ପଦକୁ ପଦୋନ୍ନତି ପ୍ରଦାନ କରାଯାଇଥିବା ଅଭିଯୋଗକୁ ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। କେନ୍ଦୁଝରଜିଲ୍ଲାରେ ୨୦୧୯, ଜାନୁଆରି ୧୯ରେ ଆରଆଇ ପଦକୁ ପଦୋନ୍ନତି ପାଇଁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ମାମଲାର ପ୍ରତିପକ୍ଷ ତଥା ପଦୋନ୍ନତି ପାଇଥିବା କର୍ମଚାରୀଙ୍କୁ ପୁନର୍ବାର ପୂର୍ବ ପଦକୁ ଫେରାଇ ନିଆଯିବ। ପ୍ରତିପକ୍ଷମାନେ ଏହି ଅବଧି ଭିତରେ ପାଇଥିବା ଦରମା ଓ ଅନ୍ୟାନ୍ୟ ଆର୍ଥିକ ଲାଭ ସେମାନଙ୍କ ନିକଟରୁ ଭରଣା କରାଯିବ ନାହିଁ। ଆରଆଇ ପଦକୁ ପଦୋନ୍ନତି ପାଇଁ ଏକ ପୁନର୍ବିଚାର ବିଭାଗୀୟ ପଦୋନ୍ନତି କମିଟି(ଡିପିସି) ଡାକିବାକୁ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କ ମେଧା, ବରିଷ୍ଠତା ପ୍ରସଂଗକୁ ଡିପିସି ବିଚାରକୁ ନେବ। ପୁନର୍ବିଚାର ଡିପିସିର ଫଳାଫଳ ଆଧାରରେ ପଦୋନ୍ନତି ନିର୍ଦ୍ଦେଶନାମା ଜାରି କରାଯିବ। ସମସ୍ତ ପ୍ରକ୍ରିୟା ତିନି ମାସ ଭିତରେ ସଂପୂର୍ଣ୍ଣ ହେବ। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସଂଜୟ କୁମାର ପେରେଇ ଓ ଅନ୍ୟ ଚାରି ଜଣଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀମାନେ ସହକାରୀ ଆରଆଇ ଓ ଅମିନ ପଦରେ ୨୦୦୯ ନଭେମ୍ବରରେ ନିଯୁକ୍ତି ପାଇଥିଲେ। ୨୦୧୮, ସେପ୍ଟେମ୍ବର ୬ରେ କେନ୍ଦୁଝର ଜିଲ୍ଲାପାଳଙ୍କ ତରଫରୁ ଏଆରଆଇ ଓ ଅମିନଙ୍କ ଗ୍ରେଡେସନ ତାଲିକା ପ୍ରକାଶ ପାଇଥିଲା। ସମସ୍ତ ଆବେଦନକାରୀ ବିଭାଗୀୟ ପରୀକ୍ଷାରେ ପାସ କରିବା ସହିତ ୫ ବର୍ଷ କାର୍ଯ୍ୟକାଳ ଶେଷ କରି ଆରଆଇ ପଦକୁ ପଦୋନ୍ନତି ପାଇଁ ଯୋଗ୍ୟତା ହାସଲ କରି ସାରିଥିଲେ। ସମସ୍ତ ଆବେଦନକାରୀ ସଂରକ୍ଷିତ ବର୍ଗର ଥିବା ବେଳେ ସାଧାରଣ ବର୍ଗଙ୍କ ପାଇଁ ଥିବା ଆରଆଇ ପଦକୁ ସେମାନଙ୍କୁ ପଦୋନ୍ନତି ପ୍ରଦାନ କରାଯାଇ ନଥିବା ଅଭିଯୋଗ ହୋଇଥିଲା। ଗ୍ରେଡେସନ ତାଲିକାରେ ସେମାନଙ୍କ ସ୍ଥାନର ତଳେ ଥିବା ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଥିଲା। swadhikarswadhikar news Share