ପ୍ରଶାସନ ଉପରେ ‘ଚାଉଳ’ ଚାପ: ମିଲ୍ରେ ପଡ଼ି ନଷ୍ଟ ହେଉଛି ଧାନ, ହିତାଧିକାରୀଙ୍କୁ ଡିସେମ୍ବର ପର୍ଯ୍ୟନ୍ତ ଚାଉଳ ବଣ୍ଟନ By Swadhikar News Last updated Sep 15, 2025 ପ୍ରଶାସନ ଉପରେ ଚାଉଳ ଚାପ ପ୍ରବଳ। ଗତ ଖରିଫ ଋତୁର ଧାନ ଏବେ ବି ମିଲ୍ଗୁଡ଼ିକରେ ପଡ଼ିରହିଛି। ସରକାର ମଣ୍ଡି ଜରିଆରେ ଯେତିକି ଧାନ କିଣି ମିଲରଙ୍କୁ ଦେଇଥିଲେ ଏବଂ ଯେତିକି ଚାଉଳ ନେବା କଥା, ତାହା ଏପର୍ଯ୍ୟନ୍ତ ଉଠାଇ ପାରିନାହାନ୍ତି। ଏହାର ସମାଧାନ ପାଇଁ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ଡିସେମ୍ବର ପର୍ଯ୍ୟନ୍ତ ଆଗୁଆ ଚାଉଳ ବଣ୍ଟନ କରାଯାଉଥିଲେ ମଧ୍ୟ ମିଲ୍ରୁ ଚାଉଳ ସରୁନାହିଁ। ମିଲ୍ରେ ଆହୁରି ଧାନ ଗଚ୍ଛିତ ରହିଥିବାରୁ ତାହା ନଷ୍ଟ ହେବାକୁ ବସିଲାଣି। ଆସନ୍ତା ଜାନୁଆରି ସୁଦ୍ଧା ଏହି ଧାନ ସରିବ ନାହିଁ ବୋଲି ସୂଚନା ମିଳିଛି। କେନ୍ଦୁଝର ଜିଲ୍ଲାରେ ସାଧାରଣତଃ ପୂର୍ବ ବର୍ଷଗୁଡ଼ିକରେ ୧୫ ଲକ୍ଷରୁ ୧୬ ଲକ୍ଷ କ୍ବିଣ୍ଟାଲ ଧାନ ମଣ୍ଡି ଜରିଆରେ କିଣାଯାଇଥାଏ। ଜିଲ୍ଲାର ୧୭ଟି ମିଲ୍ ଏହି ଧାନ ନେବା ପରେ ସରକାରଙ୍କୁ ନିର୍ଦ୍ଧାରିତ ପରିମାଣର ଚାଉଳ ଫେରାଇଥା’ନ୍ତି। ଅଗଷ୍ଟ କିମ୍ବା ଅତିବେଶିରେ ସେପ୍ଟେମ୍ବର ମାସ ସୁଦ୍ଧା ଏହି ଚାଉଳ ସେମାନେ ଦେଇଥା’ନ୍ତି। ଗତବର୍ଷ ଧାନର ସହାୟକ ମୂଲ୍ୟ ବଢ଼ିବା ପରେ କେନ୍ଦୁଝର ଜିଲ୍ଲାରେ ଚାଷୀଙ୍କଠାରୁ ରେକର୍ଡ ପରିମାଣର ୨୨ ଲକ୍ଷ କ୍ବିଣ୍ଟାଲ ଧାନ ସରକାର କିଣିଥିଲେ। ଏତେ ପରିମାଣର ଧାନ ଗଚ୍ଛିତ ରଖିବା ପାଇଁ ମଣ୍ଡିରେ କିମ୍ବା ସରକାରୀ ବ୍ୟବସ୍ଥା ନ ଥିବାରୁ ସିଧାସଳଖ ମିଲ୍କୁ ତାହା ଯାଇଥାଏ। ମିଲ୍ରେ ମଧ୍ୟ ଏତେ ଅଧିକ ପରିମାଣର ଧାନ ମାସମାସ ଧରି ରଖିବାକୁ ବ୍ୟବସ୍ଥା ନାହିଁ। ଅନ୍ୟପଟେ ମଣ୍ଡିରୁ ମିଲ୍କୁ ଯାଉଥିବା ଧାନରୁ ଚାଉଳ ପ୍ରସ୍ତୁତ ସମୟରେ ସର୍ବାଧିକ ୪-୫ ପ୍ରତିଶତ ନଷ୍ଟ ହୋଇଥାଏ। ଅଧିକ ଦିନ ଧରି ମିଲ୍ରେ ଧାନ ପଡ଼ି ରହିବା ଦ୍ବାରା ନଷ୍ଟ ପରିମାଣ ପ୍ରାୟ ୧୫ ପ୍ରତିଶତରେ ପହଞ୍ଚିଛି। ଏଣେ ଚାଉଳ ନେବା ପାଇଁ ପ୍ରଶାସନ ଚାପ ପକାଉଥିବାରୁ ଯୋଗାଣ ବିଭାଗ ହିତାଧିକାରୀଙ୍କୁ ଆଗୁଆ ବଣ୍ଟନ କରୁଛି। ହିତାଧିକାରୀଙ୍କୁ ଆଜି ସୁଦ୍ଧା ଅକ୍ଟୋବର ପର୍ଯ୍ୟନ୍ତ ଚାଉଳ ଦିଆସରିଛି। ଏବେ ପୁଣି ନଭେମ୍ବର-ଡିସେମ୍ବର ମାସର ଚାଉଳ ବଣ୍ଟନ ପ୍ରକ୍ରିୟା ଚାଲିଛି। ସାଧାରଣତଃ ସରକାର ସେପ୍ଟେମ୍ବର ସୁଦ୍ଧା ମିଲ୍ରୁ ସବୁ ଚାଉଳ ଉଠାଇ ସାରିବା କଥା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପ୍ରାୟ ଜାନୁଆରି ପର୍ଯ୍ୟନ୍ତ ମିଲ୍ରୁ ଚାଉଳ ସରିବ ନାହିଁ। ଏଭଳି ସ୍ଥିତିରେ ଯଦି ଆଗାମୀ ନଭେମ୍ବରରୁ ପୁଣି ମଣ୍ଡି ଖୋଲାଯାଇ ଧାନ ସଂଗ୍ରହ ଆରମ୍ଭ ହୁଏ ତେବେ ତାକୁ ରଖିବାରେ ସମସ୍ୟା ଦେଖାଦେବ। ଏଥର ଜିଲ୍ଲାରେ ପୂର୍ବ ବର୍ଷ ତୁଳନାରେ ୨୦ ହଜାର ଅଧିକ ଚାଷୀ ଖରିଫ ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଗତବର୍ଷଠାରୁ ଏବର୍ଷ ଆହୁରି ଅଧିକ ଧାନ ସଂଗ୍ରହ ହେବାର ସମ୍ଭାବନା ଥିବାରୁ ଏହି ସମସ୍ୟା ଆଗକୁ ଅଧିକ ବଢ଼ିବ। କାରଣ ଧାନ ରଖିବା ପାଇଁ ସରକାରୀ ମଣ୍ଡିରେ ଗୋଦାମ ବ୍ୟବସ୍ଥା ନାହିଁ। swadhikarswadhikar news Share