Odia News Portal

ରାଉରକେଲା ବିମାନବନ୍ଦରର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି

ରାଉରକେଲା ବିମାନବନ୍ଦରର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ବିଶେଷକରି ଆଲିଆନ୍ସ ଏୟାର୍‌ ଦ୍ବାରା ଏକମାତ୍ର ଏଟିଆର୍‌-୭୨ ବିମାନର ପରିଚାଳନା ବନ୍ଦ ହୋଇଯିବାପରଠାରୁ ଏହାର ଭାଗ୍ୟ ଝୁଲିରହିଛି। ଏଭଳି ସମୟରେ ଆଗାମୀ ୨୦୨୬ ମାର୍ଚ୍ଚ ଯାଏ ରାଉରକେଲା ବିମାନସେବା ପୁନଃଆରମ୍ଭ ହେବନିବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି। ସଦ୍ୟ ପ୍ରକାଶିତ ଶୀତକାଳୀନ ବିମାନ ଉଡ଼ାଣ ସୂଚିରୁ ଏହା ସ୍ପଷ୍ଟ ହୋଇଛି।ସୂଚୀ ଅନୁସାରେ ଆସନ୍ତା ୨୬ ତାରିଖରୁ ୨୫ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ କୌଣସି ବିମାନ ଉଡ଼ିବ ନାହିଁ। ଅର୍ଥାତ୍‌ ରାଉରକେଲା ବିମାନବନ୍ଦର ଏକପ୍ରକାର ବନ୍ଦ ରହିବ। ଗୋଟିଏପଟେ ବିମାନବନ୍ଦରକୁ ନୂଆ ରୂପ ଦେବାକୁ ସଂପ୍ରସାରଣ ଓ ଭିତ୍ତିଭୂମି ବିକାଶ ପାଇଁ ପରିଯୋଜନା କରାଯାଉଥିବାବେଳେ ବିମାନଉଡ଼ାଣ ବନ୍ଦ ହେବା ରାଉରକେଲା ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳାର ଅନ୍ୟତମ ଉଦାହରଣ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।

୨୦୨୩ ଜାନୁଆରି ୭ ତାରିଖରୁ ଭୁବନେଶ୍ବର-ରାଉରକେଲା ବିମାନସେବା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ରାଉରକେଲା-କୋଲକାତା ରୁଟ୍‌କୁ ଆଞ୍ଚଳିକ ସଂଯୋଗ ଯୋଜନା ଉଡାନ୍‌ରେ ଅନ୍ତର୍ଭୁକ୍ତ କରାଯାଇଥିଲା। ତେବେ ଜୁନ ୧୫ରୁ ରାଉରକେଲା-କୋଲକାତା ଓ ଜୁଲାଇ ୧୬ରୁ ରାଉରକେଲା-ଭୁବନେଶ୍ବର ବିମାନ ଉଡ଼ାଣ ବନ୍ଦ ହୋଇଯାଇଛି। ବିମାନ ପରିଚାଳନାକାରୀ ସଂସ୍ଥା ଆଲିଆନ୍ସ ଏୟାର୍‌ର ମନମାନି, ଏହାର ମୁଖ୍ୟ କାରଣ ପାଲଟିଛି। ଆଲିଆନ୍ସ ଏୟାର ପାଖରେ ପର୍ଯ୍ୟାପ୍ତସଂଖ୍ୟକ ବିମାନ ନ ଥିବାରୁ ଆରମ୍ଭରୁ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା। ଫଳରେ ସେବେଠାରୁ ନୂଆ ବିମାନ ପରିଚାଳନାକରୀ ସଂସ୍ଥାକୁ ନିୟୋଜନ ଓ ସେଲ୍‌ ରାଉରକେଲା ଇସ୍ପାତ କାରଖାନା ଅଧିନରେ ଥିବା ବିମାନବନ୍ଦରର ମାଲିକାନାସତ୍ତ୍ବ ପରିବର୍ତ୍ତନ ପାଇଁ ଦାବି ହେଉଥିଲା।

ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସତ; କିନ୍ତୁ ଏହା ଆଗେଇ ପାରୁନି। ବିଡ଼ମ୍ବନାର ବିଷୟ ହେଲା, ରାଉରକେଲା ବିମାନବନ୍ଦରରେ କାର୍ଯ୍ୟରତ ଏୟାର୍‌ ଇଣ୍ଡିଆ ଇଞ୍ଜିନିୟରିଂ ସର୍ଭିସେସ୍ ଲିମିଟେଡର ଏକମାତ୍ର ଫ୍ଲାଇଟ୍‌ ଇଞ୍ଜିନିଅର୍‌ ସଞ୍ଜୀବ କୁମାରଙ୍କୁ ବଦଳି କରାଯାଇଛି। ଗତ ୬ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଶ୍ରୀ କୁମାରଙ୍କୁ ଗୋଟିଏ ବର୍ଷ ପାଇଁ କୋଲକାତା ସ୍ଥାନାନ୍ତରିତ କରାଯାଇଛି। ରାଜ୍ୟର ଦ୍ବିତୀୟ ସ୍ମାର୍ଟସିଟି ରାଉରକେଲାରେ ସକ୍ରିୟ ବାଣିଜ୍ୟିକ ବିମାନସେବାର ଆବଶ୍ୟକତା ଥିବା ସତ୍ତ୍ବେ ରାଜ୍ୟ ସରକାର କିମ୍ବା ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ର ଶୁଭଦୃଷ୍ଟି ପଡ଼ୁନଥିବାରୁ, ସହରବାସୀଙ୍କୁ ପୂର୍ଣ୍ଣକାଳୀନ ବିମାନସେବା ସ୍ବପ୍ନ ଅପୂରଣୀୟ ହୋଇରହିଛି।