Odia News Portal

ବିଧାୟକ ହେବ ତ ଏମିତି, ଦାୟିତ୍ୱ ନେବା କ୍ଷଣି ମନ କିଣିନେଲେ ରୁଦ୍ର ପ୍ରତାପ

ଭୁବନେଶ୍ୱର: ପ୍ରଥମ ଦିନରେ ମନ କିଣିନେଲେ ରୁଦ୍ରପ୍ରତାପ । ପିପିଲିର ବିଧାୟକ ଭାବେ ଶପଥ ନେଇ ନାହାଁନ୍ତି ସତ ହେଲେ ଲୋକଙ୍କ ପାଇଁ କାମ କରିବାର ଝୁଙ୍କ୍ ତାଙ୍କୁ ଚର୍ଚ୍ଚାକୁ ଆଣିଛି । ତାରିଖ – ୪ ଅକ୍ଟୋବର ୨୦୨୧ । ସମୟ – ଦିନ ୧୨ । ସ୍ଥାନ – ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ସରକାରୀ ବାସଭବନ । ନିର୍ବାଚନ ଜିତିବା ପରଦିନ ହୋଇଥିବାରୁ ରୁଦ୍ର ପ୍ରତାପ ମହାରଥୀଙ୍କୁ ଭେଟୁଥାନ୍ତି ପିପିଲି-ଡେଲାଙ୍ଗର ଶୁଭେଚ୍ଛୁ । ଆଉ ସେଇ ଗହଳି ଭିତରେ ସାଲେପୁରର ଜନୈକ ଦୃଷ୍ଟିହୀନ ବ୍ୟକ୍ତି ବି ରୁଦ୍ରଙ୍କୁ ଭେଟି ଶୁଭେଚ୍ଛା ଜଣାନ୍ତି । ହେଲେ ହଠାତ ରୁଦ୍ରଙ୍କ ନଜର ପଡେ ସେହି ବ୍ୟକ୍ତିଙ୍କ ଫୁଙ୍ଗୁଳା ପାଦ ଉପରେ । ଖାଲି ପାଦରେ ବୃଦ୍ଧ ଜଣକ ଆସିଥିବା ଦେଖି ରୁଦ୍ର ତୁରନ୍ତ ନିଜ ପାଖରେ ଥିବା ଚପଲ ତାଙ୍କୁ ପିନ୍ଧାଇ ଦେଇଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏ ଦୃଶ୍ୟ ସେତେବେଳେ କେହି ଜଣେ ମୋବାଇଲରେ ରେକର୍ଡ କରି ନେଇଥିଲେ । ଯାହାକୁ ଦେଖିବା ପରେ ଚାରିଆଡୁ ଶୁଭିଛି ରୁଦ୍ରଙ୍କ ଜୟଧ୍ୱନୀ ।

ହୁଏତ ଏ ଦୃଶ୍ୟ କିଛି ନିନ୍ଦୁକଙ୍କୁ ଭଲ ଲାଗିନପାରେ । କେହି କହି ପାରନ୍ତି ଏସବୁ ଡ୍ରାମା ନୁହେଁ ତ ଆଉ କଣ ? ଆଉ କେହି କହି ପାରନ୍ତି ନୂଆ ନୂଆ ଏମିତି ଚାଲେ! ହେଲେ ଏଇଠି ଆମେ କହି ରଖୁଛୁ, ରୁଦ୍ର ପ୍ରତାପ ରାଜନୀତିରେ ନଥିବା ବେଳେ ବି ୧୦ଥରରୁ ଉଦ୍ଧ୍ୱର୍ ଥର ରକ୍ତ ଦାନ କରି ସାରିଛନ୍ତି । ଖାଲି ସେତିକି ନୁହେଁ ରୁଦ୍ର ନିଜ ଶରୀରର ସମସ୍ତ ଅଙ୍ଗ ମଧ୍ୟ ଦାନ କରି ସାରିଛନ୍ତି । ତାଙ୍କ ଦେହାନ୍ତ ପରେ ତାଙ୍କ ଅଙ୍ଗଗୁଡିକ ଡାକ୍ତରୀ ଗବେଷଣା କ୍ଷେତ୍ରରେ କାମରେ ଲାଗିପାରିବ ବୋଲି ସେ ଏହି ମହାନ କାମ କରିବାକୁ ବି ପଛାଇ ନାହାଁନ୍ତି । ଏସବୁ ବାଦ, ଫନୀ ସମୟରେ ଅଭାବୀ ଲୋକଙ୍କ ଦୁଆରେ ରନ୍ଧାଖାଦ୍ୟ ପହଞ୍ଚାଇବା ହେଉ ଅବା ହେଉ ଅନ୍ଧାରୀ ମୂଲକରେ ଆଲୁଅ ଜାଳିବା ପୁଣି ହେଉ ଇଚ୍ ୱାନ ପ୍ଲାଣ୍ଟ ୱାନ୍ ନାରା ଦେଇ ବୃକ୍ଷରୋପଣ କରିବା । ଏସବୁ ଯେମିତି ତାଙ୍କର ପିଲାଦିନରୁ ସଉକରେ ପରିଣତ ହୋଇ ଆସିଛି । ତେଣୁ ନିର୍ବାଚିତ ହେବା ପରେ ଯେ ଏସବୁ ନୂଆ ନୂଆ ବାହାନା ତାହା ନୁହେଁ ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀକୁ ଏକ ନମ୍ବରରେ କରିବାରେ ତାଙ୍କର ଜିଦ୍ ଓ ଝୁଙ୍କ୍ ତାଙ୍କୁ ନୂଆ ପରିଚୟ ଦେବ ବୋଲି ଆଶା ।