Odia News Portal

ସ୍କୁଲ ଫି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର : ହାଇକୋର୍ଟରେ ସ୍କୁଲ ଫି ମାମଲା ପ୍ରସଙ୍ଗର ଶୁଣାଣି । ରାଜ୍ୟ ସରକାର ଦେଇଥିବା ରିହାତି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଲେ କୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତି ଗ୍ରହଣ କରିବା ଲାଗି ଆଜି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ତେବେ କମିଟି ରିପୋର୍ଟ ଗ୍ରହଣ କରିବା ନେଇ ଯଦି କାହାର ଆପତ୍ତି ଥିବ, ତା ହେଲେ ସାନି ରିଟ୍ ଦାଖଲ ପାଇଁ କୋର୍ଟ କହିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ବି ଆର ଷଡଙ୍ଗୀଙ୍କ ଖଣ୍ଡପୀଠରେ ଏହି ଶୁଣାଣି ହୋଇଛି ।

ପୂର୍ବରୁ ଘରୋଇ ସ୍କୁଲର ଫି ନିର୍ଦ୍ଧାରଣ ଲାଗି ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସୁପାରିଶ କରିଥିଲା । କମିଟି ରିପୋର୍ଟରେ, ବାର୍ଷିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟୁସନ୍ ଫି ନେଉଥିବା ସ୍କୁଲର କୌଣସି ଫି ଛାଡ କରାଯାଇନଥିଲା । ତେବେ ୬ରୁ ୧୨ ହଜାର ଟଙ୍କା ଯାଏ ଫି’ରେ ୭.୫ ପ୍ରତିଶତ, ୧୨ରୁ ୨୪ ହଜାର ଯାଏ ୧୨ପ୍ରତିଶତ, ୨୪ରୁ ୪୮ ହଜାର ଯାଏ ୧୫ ପ୍ରତିଶତ, ୪୮ରୁ ୭୨ ହଜାର ଯାଏ ଫି’ରେ ୨୦ ପ୍ରତିଶତ ଛାଡ କରାଯିବାକୁ ସୁପାରିଶ କରିଥିଲା କମିଟି ।ସେହିପରି ୭୨ ହଜାରରୁ ୧ ଲକ୍ଷ ଟଙ୍କା ଫି’ରେ ୨୫ ପ୍ରତିଶତ ଓ ୧ ଲକ୍ଷରୁ ଅଧିକ ଫି ପାଇଁ ୨୬ ପ୍ରତିଶତ ଛାଡ଼ କରିବାକୁ କମିଟି ରିପୋର୍ଟ ଦେଇଥିଲା । ସେହିପରି ରେସିଡେନ୍ସିଆଲ ସ୍କୁଲଗୁଡିକର ଫି ୩୦% ହ୍ରାସ ପାଇଁ କମିଟି ସୁପାରିଶ କରିଥିଲା।

କରୋନା ମହାମାରୀ ସ୍ଥିତିରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ସ୍କୁଲ ଫି ଛାଡ଼ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଚାରୋଟି ମାମଲା ରୁଜୁ ହୋଇଥିଲା। ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ, ଭୁବନେଶ୍ୱରର ପ୍ରହଲ୍ଲାଦ ରାଉତ, ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଅଲ୍ ଇଣ୍ଡିଆ ପାରେଣ୍ଟସ୍ ଆସୋସିଏସନ୍ ସଭାପତି ପ୍ରଦୀପ୍ତ ନାୟକ ହାଇକୋର୍ଟରେ ପୃଥକ ମାମଲା ଦାୟର କରିଥିଲେ। ତେବେ ଏହି ମାମଲାର ଆପୋସ ସମାଧାନ ପାଇଁ ପୂର୍ବରୁ ହାଇକୋର୍ଟ ପରାମର୍ଶ ଦେଇଥିଲେ। ଏଥିପାଇଁ ଗଣ ଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରିବା ପାଇଁ କୋର୍ଟ କହିଥିଲେ। ଏହି ବୈଠକରେ ଅଭିଭାବକ ମହାସଂଘ, ଶିକ୍ଷକ ସଂଘ ଓ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ସାମିଲ କରିବାକୁ ପରାମର୍ଶ ଦିଆଯାଇଥିଲା। ଆଜି ଏହି କମିଟି ଆଧାରରେ ଶୁଣାଣି କରିଛନ୍ତି ହାଇକୋର୍ଟ।