Odia News Portal

କରୋନା ପାଇଁ କୋଟିଆରେ ୧୪୪ ଧାରା ଜାରି

କୋରାପୁଟ: ଆନ୍ଧ୍ର କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣି ନିର୍ବାଚନ କରିବାକୁ ସଜବାଜ ହେଲାଣି ଆନ୍ଧ୍ର ପ୍ରଦେଶ ।  ରାତି ପାହିଲେ ଅର୍ଥାତ ଗୁରୁବାର ସକାଳୁ କୋଟିଆରେ ‍ଆନ୍ଧ୍ର କରାଇପାରେ ନିର୍ବାଚନ। ମଙ୍ଗଳବାର ଆନ୍ଧ୍ରପ୍ରଦେଶ ହାଇର୍କୋଟଙ୍କ ଜଣିକିଆ ଖଣ୍ଡପୀଠ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବୁଧବାର ସନ୍ଧ୍ୟାରେ ସେହି ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ନିର୍ବାଚନ କରିବାକୁ ଆନ୍ଧ୍ର ସରକାରଙ୍କୁ ଅନୁମତି ପ୍ରଦାନ କରିଛନ୍ତି।

କରୋନା ପାଇଁ କୋଟିଆରେ ଜାରି ହେଲା ୧୪୪ ଧାରା । କୌଣସି ଲୋକ ବାହାରକୁ ବାହାରିବାକୁ ବାରଣ କରାଯାଇଛି । ୩ ଦିନ ପାଇଁ କୋଟିଆରେ ୧୪୪ ଧାରା ଜାରି କରାଯାଇଥିବା କୋରାପୁଟ ଜିଲ୍ଲାପାଳ ଘୋଷଣା କରିଛନ୍ତି । କୌଣସି ଯାନ ବାହାନ ଗଡ଼ିବାକୁ ମନା କରାଯାଇଛି । ବର୍ତ୍ତମାନ ଜିଲ୍ଲାର ସବୁ ଦଳର ନେତା କୋଟିଆରେ ଥିବାବେଳେ ରାତି ଜଗିବେ । କୋଟିଆରେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଅଛନ୍ତି । ଜରୁରୀ ନଥିଲେ ବାହାରକୁ ବାହାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡାକବାଜି ଯନ୍ତ୍ର ଜରିଆରେ କୋଟିଆର ସମସ୍ତ ଗାଁରେ ପ୍ରଶାସନ ଘୋଷଣା କରିଛି ।

୨୨ଟି ଗାଁରେ ୨୨ ଜଣ ମାଜିଷ୍ଟ୍ରେଟ କ୍ଷମତା ପ୍ରଦାନ କରାଯାଇଛି। ଅଫିସରମାନଙ୍କ ସହ ୨୨ ଗାଁରେ ବ୍ୟାପକ ପୁଲିସ ମଧ୍ୟ ମୁତୟନ ରହିବେ। ଓଡ଼ିଶାର ସୀମାନ୍ତ ଗାଁରେ ନିର୍ବାଚନ ପାଇଁ ଚେଷ୍ଟା କରୁଛି ଆନ୍ଧ୍ର ସରକାର। ଏ‌ହାସହ ଆଜି ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର, ଏଡିଏମ ଦେବେନ ପ୍ରଧାନ, କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲ୍ଲିଙ୍ ସହ ବହୁ ବରିଷ୍ଠ ଅଧିକାରୀ ସେଠାରେ ଉପସ୍ଥିତ ରହିଥିବା ଜଣାପଡିଛି। କୋଟିଆରେ ଅନ୍ଧ୍ର ନିର୍ବାଚନ କୁ ବିରୋଧ କରି ଗଠନ ହୋଇଥିବା ସର୍ବଦଳୀୟ କମିଟି କୋଟିଆରେ ରହିଛି। ପ୍ରଥମେ ମାଟି ପରେ ପାର୍ଟି ର ନାରା ଦେଇ କୋଟିଆରେ ଅନ୍ଧ୍ର ଓଡିଶା ସୀମାରେ ଧାରଣା ଦେଇଛନ୍ତି ସର୍ବଦଳୀୟ ନେତା। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ପୋଡାଲ, ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀଙ୍କ ସହ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ ଓ ବଜେପିର ବରିଷ୍ଠ ନେତା ଜୟରାମ ପାଙ୍ଗି ସେଠାରେ ରହିଛନ୍ତି।

ଆନ୍ଧ୍ରପ୍ରଦେଶ ସରକାର ପୂରା ରାଜ୍ୟରେ ନିର୍ବାଚନ କରିବାକୁ ଯାଉଛନ୍ତି। ଏଥିପାଇଁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ରାଜ୍ୟ ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଓଡ଼ିଶାର କୋଟିଆରେ ମଧ୍ୟ ଭୋଟ ଗ୍ରହଣ ହେବ। ତେବେ ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ କରିବାକୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। ୮ ତାରିଖରେ ଭୋଟ ହେବ। କିନ୍ତୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଭୋଟ ଗଣତି କିମ୍ବା ଫଳାଫଳ ପ୍ରକାଶ ପାଇପାରିବ ନାହିଁ।