Odia News Portal

ବରିଷ୍ଠ ସାମ୍ବାଦିକ ତଥା ଲେଖକ ବସନ୍ତ ଦାସଙ୍କ ପରଲୋକ

ଭୁବନେଶ୍ୱର: କରୋନାରେ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ । କରୋନା କାରଣରୁ ବରିଷ୍ଠ ସାମ୍ବାଦିକ ତଥା ଲେଖକ ବସନ୍ତ ଦାସଙ୍କ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଦେହାନ୍ତ ହୋଇ ଯାଇଛି ।

ସ୍ବର୍ଗତ ବସନ୍ତ ଦାସ ୧୯୪୦ ମସିହା ଜାନୁୟାରୀ ୨ ତାରିଖରେ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ମଣ୍ଡିପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ପ୍ରାଥମିକ ଶିକ୍ଷା ପରେ କଟକକୁ ଯାଇ ପ୍ୟାରୀ ମୋହନ ଏକାଡେମୀ ଏବଂ ଖ୍ରୀଷ୍ଟ କଲେଜରୁ ବି.ଏ ପଢ଼ିବା ପରେ ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପୋଷ୍ଟ ଗ୍ରାଜୁଏସନ୍ ସମାପ୍ତ କରିଥିଲେ। ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଏଲ୍.ଏଲ୍.ବି ପଢୁଥିବା ସମୟରେ ସେ ସାମ୍ବାଦିକତା ପ୍ରତି ଆକର୍ଷିତ ହୋଇଥିଲେ।

ସେ ୧୯୬୫ ମସିହାରେ ଏକ ଇଂରାଜୀ ଦୈନିକ ଖବର କାଗଜ ଇଷ୍ଟର୍ଣ୍ଣ ଟାଇମ୍ସ ସହିତ ସାମ୍ବାଦିକତାରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେହି ଦିନଠାରୁ ସେ ବିଭିନ୍ନ ରାଜ୍ୟ ତଥା ଜାତୀୟ ଗଣମାଧ୍ୟମ ହାଉସ୍ ଏବଂ ଆସୋସିଏସନରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ।ବସନ୍ତ ଦାସ ୨୦୦୨ ଠାରୁ ଜଣେ ସ୍ଵାଧୀନ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଥିଲେ। ୭୫ ବର୍ଷ ପୂର୍ତ୍ତି ତଥା ତାଙ୍କର ପ୍ରସିଦ୍ଧ ସାମ୍ବାଦିକ କ୍ୟାରିୟରର ସୁବର୍ଣ୍ଣ ଜୟନ୍ତୀକୁ ସ୍ମରଣ କରିବା ପାଇଁ ୨୦୧୫ ରେ ତାଙ୍କ ଜୀବନ ଏବଂ ସଫଳତାକୁ ନେଇ ଏକ ଡକ୍ୟୁମେଣ୍ଟାରୀ ମୁକ୍ତିଲାଭ କରିଥିଲା।ତାଙ୍କର ସାମ୍ପ୍ରତିକ ପୁସ୍ତକ ‘ଆଧୁନିକ ଓଡ଼ିଶାର ରାଜନୈତିକ ଇତିହାସ’ ପାଇଁ ସେ ବେଶ୍ ଜଣାଶୁଣା, ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପୁସ୍ତକ ‘ଜେ ଦେଶ ଯାଇ ସେ ଫଳ ଖାଇ’, ଫୁଟ୍ ପ୍ରିଣ୍ଟ୍ ଅଫ୍ ଇଭେଣ୍ଟ୍ ଡେ, ପ୍ଲାଟିନମ୍ ଜୁବୁଲି ଅଫ୍ ଓଡ଼ିଶା ରାଜନୀତି ଇତ୍ୟାଦି ସହିତ ୧୬ ଟି ପୁସ୍ତକ ଲେଖିଥିଲେ।

ତେବେ ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ଵର୍ଗତ ଦାସ ଜଣେ ସ୍ତମ୍ଭକାର ତଥା ରାଜନୈତିକ ବିଶ୍ଳେଷକ ଭାବରେ ସୁନାମ ଅର୍ଜନ କରିଥିଲେ । ଅଦ୍ଧଶତାବ୍ଦୀରୁ ଅଧିକ ସମୟ ଧରି ସେ ସାମ୍ବାଦିକତା ବୃତ୍ତିରେ ସକ୍ରିୟ ରହିଥିଲେ । ସାହିତ୍ୟ ଓ ସାମ୍ବାଦିକତା ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ସ୍ମରଣୀୟ ରହିବେ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି। ବସନ୍ତ ଦାସଙ୍କ ଦେହାନ୍ତରେ ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।