କାମାକ୍ଷାନଗର ଥାନା ସମାଟାଙ୍ଗି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି ଗତ ୯ ତାରିଖ ଶୁକ୍ରବାର ଦିନ l ସ୍କୁଲରେ ଖେଳୁଥିଲା ବେଳେ ଷଷ୍ଠଶ୍ରେଣୀର ଛାତ୍ରକୁ ଛୁରି ଭୁସିଦେଲା ସପ୍ତମ ଶ୍ରେଣୀର ଛାତ୍ର l ଗୁରୁତର ଛାତ୍ର ଜଣକ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସତ ହେଉଥିବା ବେଳେ ଏ ନେଇ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି ଗୁରୁତର ଛାତ୍ରଙ୍କ ପିତା ସମୀର ନାଏକ ଓ ମାତା ମାମୁଲି ନାଏକ lସୂଚନା ଅନୁସାରେ, ସମାଟାଙ୍ଗି ଗ୍ରାମରେ ଥିବା ସରକାରୀ ଉପ୍ରା ବିଦ୍ୟାଳୟରେ ଗତ ଶୁକ୍ରବାର ଦିନ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ଖେଳୁଥିଲେ l ଏହି ସମୟରେ ସେହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଚନ୍ଦନ ନାଏକଙ୍କୁ ସେହି ଗ୍ରାମର ସପ୍ତମ ଶ୍ରେଣୀର ଛାତ୍ର ହଠାତ କୌଣସି କାରଣକୁ ନେଇ ଛୁରି ଭୁସିଦେଇଥିଲା l ଛୁରିଟି ଚନ୍ଦନଙ୍କ ଗାଲରେ ପଶି ଯାଇଥିବା ବେଳେ ଚନ୍ଦନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଦ୍ୟାଳୟରେ ପଡ଼ି ରହିଥିଲେ lପ୍ରାୟ ଘଣ୍ଟାଏ ପରେ କିଛି ସ୍ଥାନୀୟ ଲୋକଙ୍କ ଠାରୁ ପୁଅକୁ ଛୁରାମାଡ଼ ହୋଇଥିବା ଖବର ପାଇ ଚନ୍ଦନଙ୍କ ବାପା ଓ ମା ବିଦ୍ୟାଳୟରେ ପହଞ୍ଚି ପୁଅକୁ ତୁରନ୍ତ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଥିଲେ l ଚନ୍ଦନଙ୍କ ଗାଲରେ ଗଭୀର ଆଘାତ ଲାଗିଥିବା ବେଳେ ସୋଭାଗ୍ୟବଶତଃ ସେ ବଡ଼ ବିପଦରୁ ବଞ୍ଚି ଯାଇଛନ୍ତି lତେବେ ଏହି ଛୁରାମାଡ଼ ଘଟଣାକୁ ନେଇ ଚନ୍ଦନଙ୍କ ମା କାମାକ୍ଷାନଗର ଥାନାରେ ଏକ ଅଭିଯୋଗ କରିଥିବା ବେଳେ ବିଦ୍ୟାଳୟ ପରିସରରେ ଛୋଟ ଛୁଆ ଛୁରା ମାରିବା ଘଟଣା ନେଇ ସରକାରୀ ସ୍ତରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତିl
