Odia News Portal

ଭଦ୍ରକରେ ଦେହ ବେପାର: ୪ ମହିଳା ଉଦ୍ଧାର

ଭଦ୍ରକ: ଭଦ୍ରକ ସହରରେ ପୋଲିସର ନାକତଳେ ଚାଲିଛି ବେଧଡ଼କ ଦେହ ବେପାର, ପୋଲିସ ମୁଖ୍ୟାଳୟର ଅନତି ଦୂରରେ ଚାଲିଛି ଏହି ସେକ୍ସ ରାକେଟ | ଭଦ୍ରକ ସହର ଡଗମୁଣ୍ଡ ସ୍ଥିତ ଏକ ଭଡା ଘରୁ ସେକ୍ସ ରାକେଟ ଠାବ କରିଛି ଟାଉନ ଥାନା ପୋଲିସ | ଏଥିରେ ସମ୍ପୃକ୍ତ ୪ ମହିଳାଙ୍କୁ ପୋଲିସ ଅଟକ ରଖିଥିବା ବେଳେ ୨ ଜଣ ପୁରୁଷଙ୍କୁ ଗିରଫ କରିଛି ପୋଲିସ | ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି |

ସୂଚନା ଅନୁସାରେ, କୌଣସି ସୁତ୍ରରୁ ଖବର ପାଇଁ ଗତକାଲି ରାତିରେ ଡଗମୁଣ୍ଡ ସ୍ଥିତ ଏକ ଭଡା ଘରେ ଅଚାନକ ଚଢାଉ ବେଳେ ସନ୍ଦେହ ଜନକ ଅବସ୍ଥାରେ ୪ ମହିଳା ସମେତ ୨ ଜଣ ପୁରୁଷଙ୍କୁ ଧରିଥିଲା ପୋଲିସ | ପରେ ଦୀର୍ଘ ସମୟ ତନାଘନା ପରେ ସେକ୍ସ ରାକେଟରେ ସମ୍ପୃକ୍ତ ମହିଳା ଓ ପୁରୁଷଙ୍କୁ ଥାନାକୁ ଅଣାଯାଇଥିଲା | ଏହି ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ, ୪ ମହିଳାଙ୍କୁ ଥାନାରେ ଅଟକ ରଖାଯିବା ସହ ୨ ଜଣ ପୁରୁଷଙ୍କୁ ଗିରଫ କରାଯାଇଥିବା ସୂଚନା ହସ୍ତଗତ ହୋଇଛି |

ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ଏହି ଘରେ ୧୫ ଦିନ ହେବ ଭଡାରେ ଏଠାରେ କିଛି ମହିଳା ରହୁଛନ୍ତି । ଏହି ଘରକୁ ବହୁ ମହିଳା ଓ ପୁରୁଷ ମାନେ ଯାତାୟାତ କରନ୍ତି । ସ୍ଥାନୀୟ ଲୋକେ ଏହି ମହିଳା ଓ ପୁରୁଷଙ୍କ କାର୍ଯ୍ୟକାଳକୁ ସନ୍ଦେହ କରି ଟାଉନ ପୋଲିସକୁ ଖବର ଦେଇଥିଲେ | ତେବେ ଭଦ୍ରକ ମୁଖ୍ୟ ସହର ଠାରୁ ମାତ୍ର ଅଳ୍ପ ଦୂରରେ ଚାଲିଥିଲା ଏହି ସେକ୍ସ ରାକେଟ ନେଇ ପୋଲିସ ପାଖରେ ଖବର ନ ଥିଲା କିପରି, ଯାହାକୁ ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି |