Odia News Portal

ଆଜି ଶ୍ରୀମନ୍ଦିରରେ ଚକ୍ରବୁଲା ତଥା ଚକ୍ରନାରାୟଣ ଏକାଦଶୀ ନୀତି

ଚକ୍ରନାରାୟଣ ବିମାନରେ ଅଧ୍ଵଷ୍ଠିତ ହୋଇ ନଗର ପରିକ୍ରମା କରିଥାନ୍ତି । ଚକ୍ରନାରାୟଣ ହେଉଛନ୍ତି ମହାପ୍ରଭୁଙ୍କ ସୁଦର୍ଶନ ଚକ୍ର। ପୂର୍ବ କାଳରେ ଶ୍ରୀକ୍ଷେତ୍ରରେ ମହାମାରୀରେ
ପଡ଼ି ଲୋକେ ବେଶ୍ ହଇରାଣ ହେଉଥିଲେ। ବିଭିନ୍ନ ରୋଗ ଓ ମହାମାରୀ ସାହି ସାହିରେ ମୃତ୍ୟୁ ତାଣ୍ଡବ ରଚୁଥିଲା।
ଏଭଳି ସ୍ଥିତିରେ ମହାପ୍ରଭୁ ତାଙ୍କ ଆୟୁଧ
ଚକ୍ରନାରାୟଣଙ୍କୁ ପଠାଇ ନଗରବାସୀଙ୍କ
ଖବର ନେଇଥାନ୍ତି। ଶ୍ରୀକ୍ଷେତ୍ରର ପ୍ରସିଦ୍ଧ
ଚାରି ଆଶ୍ରମରେ ଠାକୁରେ ବିଜେ ହୋଇ
ସ୍ୱତନ୍ତ୍ର ନୀତି ପାଳିତ ହୋଇଥାଏ।
ରଥଯାତ୍ରା ପରେ ଠାକୁରଙ୍କ ଏହା ହେଉଛି
ପ୍ରଥମ ବାହାର ବିଜେ। ଶ୍ରୀମନ୍ଦିରରେ
ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ସରିବା
ପରେ ଏହି ନୀତି ସମ୍ପନ୍ନ ହୋଇଥାଏ।
ଆଜି ଶ୍ରାବଣ କୃଷ୍ଣ ଏକାଦଶୀ ତିଥିରେ ପରମ୍ପରା ଅନୁଯାୟୀ ଚକ୍ରବୁଲା ଏକାଦଶୀ ନୀତି ପାଳିତ ହୋଇଥାଏ। ଏହି ଦିନ ମଧ୍ୟାହ୍ନ ଧୂପ ସରି ମଇଲମ ଓ ଶାଢ଼ୀ ଖଣ୍ଡୁଆ ଲାଗି ହୋଇ ଝଡ଼ା ଆଳତି ବଢିବା ପରେ ସର୍ବାଙ୍ଗ ନୀତି ଅନୁଷ୍ଠିତ ହୋଇଥାଏ। ଏହାପରେ ଶ୍ରୀମଦନମୋହନ ବେଶ ହୋଇ ଆଜ୍ଞା ମାଳ ପାଇ ଏକାଦଶୀ ବେଢ଼ା କୁ ବିଜେ କରିଥାନ୍ତି। ଏତଦବ୍ୟତୀତ ସୁନା ବେଶ ରେ ମହାପ୍ରଭୁ ଧାରଣ କରୁଥିବା ସୁବର୍ଣ୍ଣ ସୁଦର୍ଶନ ଚକ୍ର ଆଜ୍ଞାମାଳ ପାଇ ବିମାନକୁ ବିଜେ କରନ୍ତି। ଉକ୍ତ ବିମାନକୁ ବିମାନବଡୁ ସେବାୟତ ସ୍କନ୍ଧରେ ବହନ କରି ସିଂହଦ୍ୱାର ଦେଇ ଶ୍ରୀନଅର ନିକଟକୁ ଆସିଥାନ୍ତି। ସେଠାରେ ପନ୍ତିଭୋଗ ହେବାପରେ ଶ୍ରୀକ୍ଷେତ୍ରର ପ୍ରାଚୀନ ଚାରି ଆଶ୍ରମ ଯଥା ମାର୍କଣ୍ଡେୟ , ଅଙ୍ଗିରା , ଭୃଗୁ , କଣ୍ଡୁ ଆଶ୍ରମକୁ ବିଜେ କରିଥାନ୍ତି। ପ୍ରତି ଆଶ୍ରମ ରେ ଶୀତଳ ଭୋଗ , ବନ୍ଦାପନା ହୋଇ ନଗର ପରିକ୍ରମା ପରେ ସୁବର୍ଣ୍ଣ ସୁଦର୍ଶନ ଚକ୍ର ଶ୍ରୀମନ୍ଦିର କୁ ବହୁଡ଼ା ବିଜେ କରିଥାନ୍ତି। ଏହାକୁ ଚକ୍ର ବୁଲା ଏକାଦଶୀ କୁହା ଯାଇଥାଏ।