ଦୁର୍ଘଟଣାର ଶିକାର ପରେ ଆହତ ବ୍ୟକ୍ତି କେତେ ଶୀଘ୍ର ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ । ଆହତ ଯେତେ ଶୀଘ୍ର ହସ୍ପିଟାଲରେ ଭର୍ତ୍ତି ହେବେ ସେତେ ଶୀଘ୍ର ବିପଦମୁକ୍ତ ହେବେ । ଆଉ ଏହି ସମୟକୁ ଗୋଲଡ଼େନ ଆୱାର କୁହାଯାଏ । ଏପରି ଏକ ଗୋଲଡ଼େନ ଆୱାରରେ ଜଣଙ୍କ ଜୀବନ ବଞ୍ଚାଇ ହସ୍ପିଟାଲରେ ଯଥାଶୀଘ୍ର ଭର୍ତ୍ତି କରିଛନ୍ତି ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ସେ କେବଳ ରିଲରେ ହିରୋ ତାହା ନୁହେଁ ରିଅଲ ଲାଇଫରେ ମଧ୍ୟ ଜଣେ ହିରୋ ବୋଲି ପ୍ରମାଣିତ କରିଛନ୍ତି ।
ପାହାଳ ଥାନା ଅନ୍ତର୍ଗତ ନରଣପୁରସ୍ଥିତ କେଏମବିବି ଯୁକ୍ତ ଦୁଇ ବିଜ୍ଞାନ କଲେଜର ଏକ କାର୍ଯ୍ୟକ୍ରମର ଉଦଘାଟକ ଭାବେ ଯୋଗଦେଇ ଭୁବନେଶ୍ୱର ଫେରୁଥିବାବେଳେ ଏକ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି ସିଦ୍ଧାନ୍ତ ମହାପାତ୍ର । ପାହାଳ ପାଖ ଫ୍ଲାଏଓଭର ଗଡ଼ାଣି ପାଖରେ ପାଖାପାଖି ୨ ଟା ସମୟରେ ତାଙ୍କ କାରର ପ୍ରାୟ କୋଡିଏ ମିଟର ଦୂରରେ ଏକ ଭ୍ୟାନ ଜଣେ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେଇଥିଲା । ଏହା ସହ ତାଙ୍କୁ ବହୁବାଟ ଘୋଷାଡ଼ି ନେଇଥିଲା ।
ତେବେ ଏହାକୁ ଦେଖି ନିଜ ଗାଡ଼ି ଅଟକାଇ ଆହତ ବ୍ୟକ୍ତିଙ୍କୁ ପ୍ରଥମେ ଡ଼ାକ୍ତରଖାନା ନେବା ପାଇଁ ସେ ବ୍ୟବସ୍ଥା କରିଥିଲେ । ବାଇକ ଆରୋହୀ ଆହତ ଆଇନଜୀବୀ ମଦନ ସ୍ୱାଇଁଙ୍କ ଗୋଡ଼ିଏ ଗୋଡ଼ ପ୍ରାୟ କଟିଯାଇଥିଲା । ଦ୍ରୁତ ଗତିରେ ନିଜ ଗାଡ଼ିରେ ଆମ୍ବୁଲାନ୍ସକୁ ତୁରନ୍ତ ବାଟ କଢ଼ାଇବାର ବ୍ୟବସ୍ଥା କରାଇଲେ । ତେବେ ଶେଷରେ ଫରେଷ୍ଟ ପାର୍କସ୍ଥିତ ସୁଶ୍ରୁତ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଇଥିଲେ । ଏହା ସହ ଫୋନ କରି ଆହତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ତେବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ନିଜେ ଗୋଲଡ଼େନ ଆୱାରର ଜଣେ ବ୍ରାଣ୍ଡ ଆମ୍ବାସଡ଼ର ଭାବେ ଉଦାହରଣ ସୃଷ୍ଟି କରିଛନ୍ତି ।