Odia News Portal

ହିମାଚଳ, ପଞ୍ଜାବ, ଜମ୍ମୁ-କାଶ୍ମୀର ସ୍ଥିତି ଜଟିଳ: ମଣ୍ଡିରେ ଭୂସ୍ଖଳନ, ୭ ମୃତ

ଅସ୍ବାଭାବିକ ବର୍ଷା ଉତ୍ତର ଭାରତରେ ସାଂଘାତିକ ସ୍ଥିତି ସୃଷ୍ଟି ‌କରିଛି।  ପଞ୍ଜାବ, ହରିୟାଣା, ଦିଲ୍ଲୀ, ହିମାଚଳପ୍ରଦେଶ, ଜମ୍ମୁ କାଶ୍ମୀର ଏବଂ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ‌ଯୋଗୁଁ ବ୍ୟାପକ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ପଞ୍ଜାବରେ ୨୩ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିବା ଫଳରେ ରାଜ୍ୟ ସରକାର ଏହାକୁ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ‌ଘୋଷଣା କରିଛନ୍ତି।  ପଞ୍ଜାବରେ ୧୬୫୫ ଗାଁ ପ୍ରଭାବିତ ହୋଇଛି। ଗୁରୁଦାସପୁର ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ କେବଳ ୩୨୪ଟି ଗାଁ ବନ୍ୟା ଘେରରେ ରହିଛି। ରାଜ୍ୟରେ ଚଳିତ ବର୍ଷା ଓ  ବନ୍ୟାଜନିତ କାରଣ ପାଇଁ   ୩୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି।  ପଞ୍ଜାବରେ ଯୁଦ୍ଧ ସ୍ଥିତିରେ ଉଦ୍ଧାର ଅପରେସନ୍‌ ଜାରି ରହିଛି।   ହରିୟାଣାରେ ଝାଜର, ହିସାର, ଯମୁନାନଗର, କୁରୁକ୍ଷେତ୍ର, ଅମ୍ବାଲା ଏବଂ ପଞ୍ଚକୂଳାର ଏକ ବିଶାଳ ଅଂଚଳ ୩-୫ ଫୁଟ୍‌ ପାଣିରେ ବୁଡ଼ି ରହିଛି।  ନିର୍ଦ୍ଦିଷ୍ଟ ଭାବେ ଅମ୍ବାଲା‌ରେ ସ୍ଥିତି ବିପଜ୍ଜନକ ରହିଛି। ଏଠାରେ ଶତାଧିକ ଘର ବୁଡ଼ି ଯାଇଥିବାବେଳେ ୨୦୦ରୁ ଅଧିକ ସ୍କୁଲ୍‌ ବନ୍ଦ କରିବାପାଇଁ ପ୍ରଶାସନ ବାଧ୍ୟ ହୋଇଛି। ଇତିମଧ୍ୟରେ ହଥନିକୁଣ୍ଡ ବ୍ୟାରେଜ୍‌ରୁ ଗତ ୬୭ ଘଣ୍ଟା ଧରି ଲଗାତାର ଜଳ ଛଡ଼ାଯାଉଥିବାରୁ ଦିଲ୍ଲୀରେ ଯମୁନା ନଦୀ ୨୦୭ ମିଟର ଉପରେ ପ୍ରବାହିତ ହେଉଛି।  ଆଜି ହିମାଚଳପ୍ରଦେଶ ମଣ୍ଡି ଜିଲ୍ଲାର ସୁନ୍ଦରନଗର ଅଞ୍ଚଳରେ ଏକ ବଡ଼ ଧରଣର ଭୂସ୍ଖଳନ ହେବା ଫଳରେ ୨ ଟି ଘର ପୋତି ହୋଇଯାଇଛି ଏବଂ ୭ ଜଣଙ୍କ ମୃତ୍ୟୁ ହୋଇଛି।   ଇତିମଧ୍ୟରେ ଆଇଏମ୍‌ଡି  ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ କାଶ୍ମୀର, ପଞ୍ଜାବ ଏବଂ ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ କରାଇଛି।  ଯମୁନା, ସତଲେଜ, ରାବୀ ଏବଂ ବ୍ୟାସ ନଦୀ ଜଳସ୍ତର ଲଗାତାର ବଢ଼ିବାରେ ଲାଗିଛି। ଜମ୍ମୁ କାଶ୍ମୀରରେ ମଧ୍ୟ ପ୍ରବଳ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ବିଶେଷ କରି ଉଧମପୁର ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ପ୍ରମୁଖ ରାସ୍ତା ବନ୍ଦ ରହିଛି।  ଗତ ଅଗଷ୍ଟ ୨୭ ତାରିଖରେ ଶ୍ରୀ ମାତା ବୈଷ୍ଣୋ ଦେବୀ ଯାତ୍ରା ପଥରେ ଭୂସ୍ଖଳନ ଯୋଗୁଁ ୩୪ ଜଣଙ୍କର ମୃତ୍ୟୁ ହୋଇଥିଲା।  ଜମ୍ମୁରେ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ପ୍ରବଣ ଅଞ୍ଚଳର ସ୍ଥିତି ଆକଳନ ପାଇଁ ଗୃହ ବ୍ୟାପାର ମନ୍ତ୍ରାଳୟର ଏକ ଟିମ୍‌ ପହଞ୍ଚିଛନ୍ତି। ରାଜସ୍ଥାନରେ ପ୍ରବଳ ବର୍ଷା ବିଭିନ୍ନ ଅଂଚଳରେ ବନ୍ୟା ଆଣିଛି। ୫୦ରୁ ଅଧିକ ଗ୍ରାମ ବନ୍ୟା ଘେରରେ ରହିଥିବା ରିପୋର୍ଟ ମିଳିଛି।