Odia News Portal

ପଦାରେ ପଡ଼ିଲା ସ୍ମାର୍ଟ ସିଟିର ବିକଳ ଚିତ୍ର

ଭୁବନେଶ୍ୱର: ପଦାରେ ପଡିଲା ସ୍ମାର୍ଟ ସିଟିର ବିକଳ ଚିତ୍ର । ବେଙ୍ଗ ମୁତିଲେ ଘରେ ପଶୁଛି ପାଣି । ସହର ଭାସୁଛି ସୃଷ୍ଟି ହେଉଛି କୃତ୍ରିମ ବନ୍ୟା । ଅସରାଏ ବର୍ଷା ହେଲେ ବୁଡିଇଯାଉଛି ଭୁବନେଶ୍ୱରର ଅନେକ ଅଚଂଳ । ଏ ହେଉଛି ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ସିଟିର ଦୃଶ୍ୟ । ଟିକିଏ ବର୍ଷା ହେଲେ ମୁଖ୍ୟ ରାସ୍ତାରେ ଲହଡି ମାରୁଛି ପାଣି । ଗାଡି ଚାଲିବା ତ ଦୂରର କଥା ଲୋକେ ଚାଲି ଚାଲି ଯିବା ବି କଷ୍ଟକର ହୋଇପଡୁଛି । ସହରର ପ୍ରମୁଖ ସ୍ଥାନ ଏମିତିକି ଲକ୍ଷ୍‌ମୀ ସାଗର, ଭିଏସ୍‌ଏସ୍ ନଗର, ଆଇଗିଣିଆ,ନୟାପଲ୍ଲୀ ଇସ୍କନ ମନ୍ଦିର ଠାରୁ ଆରମ୍ଭ କରି ଜାତୀୟ ରାଜପଥରେ ଦେଖାଦେଉଛି କୃତ୍ରିମ ବନ୍ୟା ।

ଆଉ ଏଭଳି ପରିସ୍ଥିତିରେ ଚଳିବା ପାଇଁ ରାଜଧାନୀବାସୀଙ୍କ ଜୀବନଯାପନ କଷ୍ଟକର ହୋଇପଡୁଥିବା ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତିା ଏପଟେ ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଜନସଂଖ୍ୟା ବଢୁଥିବା ବେଳେ ବିଡିଏ, ବିଏମ୍‌ସି ପକ୍ଷରୁ ପ୍ଲାନ ହୋଇଥିବା ଡ୍ରେନ ଗୁଡିକର ସଫେଇ ଠିକ୍ ସମୟରେ ନହେବା ,ବର୍ଷା ପାଣି ଜମିବାର ଏକ ପ୍ରମୁଖ କାରଣ ପାଲଟିଛି ବୋଲି କହିଛନ୍ତି ରାଜଧାନୀ ବାସିନ୍ଦା ।

ଗଲା କିଛି ଦିନ ତଳେ ମୌସୁମୀ ଆସୁଆସୁ ମଲ୍ଲିକ କଂମ୍ପ୍ଲକ୍ସ, ବାସୁଦେବ ନଗର, ଓଲଡ୍ ଟାଉନ୍ , ବେହେରାସାହି, ଘନଶ୍ୟାମ ଆପାର୍ଟମେଂଟ, ହରିଦାସପୁର ,ହଂସପାଳ ଭୋଇସାହି, ପାଇକ ନଗର, ଶ୍ରୀରାମ ସିଟି, ଜଗମୋହନ ନଗର,ସବର ସାହି ଆଦି ସ୍ଥାନରେ ତୁରନ୍ତ ଜଳ ନିଷ୍କାସନ ପାଇଁ ପମ୍ପ ଯୋଗାଇ ଦିଆଯାଇଥିଲା । ଏମିତିକି କିଛି ସ୍ଥାନରେ ଅତ୍ୟାଧୁନିକ ଫାୟାର ପମ୍ପ ମଧ୍ୟ ରଖାଯାଇଥିଲା । ଜୁନ୍ ୧୦ ତାରିଖରେ ଏ ନେଇ ଟ୍ୱିଟ୍ କରିଥିଲା ବିଏମସି । ହେଲେ ମାତ୍ର ୧୩ ଦିନ ପରେ ଆଜି ଅସଲ ବର୍ଷା ବେଳକୁ ପମ୍ପର ଦେଖାନାହିଁ । ବାରମ୍ବାର ଦାବି ପରେ ବି ବର୍ଷା ଦିନ ସରିଲାନି ଡ୍ରେନ୍ କାମ । କିନ୍ତୁ ଟ୍ୱଟରରେ ସାବାସି ନେବାକୁ ଚେହେରା ସଜାଡିଲା ବିଏମସି । ଢୁଢୁ ବର୍ଷାରେ ଭୁବନେଶ୍ୱର ଭାସୁଥିବା ବେଳେ ବିଏମସି ଶୋଇଯାଇଛି ନିଘଡ ନିଦରେ ।

ତେବେ ଏଠି ପ୍ରଶ୍ନ ଉଠୁଛି । ଜଳବନ୍ଦୀ ରାଜଧାନୀ ପାଇଁ ଦାୟୀ କିଏ ? କାହିଁକି ଭାସୁଛି ସ୍ମାର୍ଟ ସିଟି? ସ୍ଥାୟୀ ସମାଧାନ ପାଇଁ ଚିନ୍ତା କରୁନି କି ବିଏମ୍‌ସି? ପ୍ରତିବର୍ଷ ବର୍ଷାଋତୁରେ ଏଭଳି ସମସ୍ୟା ଉପୁଜୁଥିଲେ ବି କାହିଁକି ଡ୍ରେନଜ୍ ବ୍ୟବସ୍ଥାରେ ସୁଧାର ଆସୁନି ତାରା ଉତର ଦେବ କିଏ ?