ଗନ୍ଧମାର୍ଦ୍ଦନ ସମେତ ଅନ୍ୟ ଜଙ୍ଗଲ ଓ ପାହାଡ଼ରେ କେନ୍ଦୁ ଏବଂ ଖଇର ଗଛ ବ୍ୟାପକ ଭାବେ କାଟି ଚୋରାଚାଲାଣ ହେଉଛି। ବର୍ଷତମାମ ଏହି କାରବାର ଚାଲିଛି। ସ୍ଥିତି ଏଭଳି ଯେ ଆଉ କିଛି ବର୍ଷ ଭିତରେ ଗନ୍ଧମାର୍ଦ୍ଦନରୁ ଉଭୟ ଗଛ ସଫା ହୋଇଯିବ। ବନ ବିଭାଗ ପାଖରୁ ମିଳିଥିବା ସୂଚନା ମୁତାବକ, ଖପ୍ରାଖୋଲ ରେଞ୍ଜ ଅଧୀନରେ ରହିଛି ଗନ୍ଧମାର୍ଦ୍ଦନ ପାହାଡ଼। ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ରେଞ୍ଜରେ ୫୩ କ୍ବିଣ୍ଟାଲ୍ ଖଇର କାଠ ଜବତ ହୋଇଥିଲା। ଉକ୍ତ ବର୍ଷ ୩ଟି ମାମଲା ରୁଜୁ ହୋଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ୩୪ କ୍ବିଣ୍ଟାଲ୍ ଖଇର କାଠ ଓ ୧୪.୫ କ୍ବିଣ୍ଟାଲ୍ କେନ୍ଦୁ କାଠ ଜବତ ହୋଇଥିଲା। ୬ଟି ମାମଲାରେ ମାତ୍ର ୨ ଜଣ ଗିରଫ ହୋଇଥିଲେ। ୨୦୨୪-୨୫ରେ ୭୭ କ୍ବିଣ୍ଟାଲ୍ ଖଇର କାଠ ଓ ୫ କ୍ବିଣ୍ଟାଲ୍ କେନ୍ଦୁ କାଠ ଜବତ ହୋଇଥିବାବେଳେ ୯ଟି ମାମଲାରେ ୩ ଜଣ ଗିରଫ ହୋଇଥିଲେ। ୨୦୨୫ ମସିହାରେ ବର୍ତ୍ତମାନ ସୁଦ୍ଧା ୨୮ଟି କେନ୍ଦୁଗଣ୍ଡି ଜବତ ହୋଇଛି। ଜଣେ ଅଭିଯୁକ୍ତ ଚୋରା ଚାଲାଣ ବେଳେ ଧରାପଡ଼ିଛି। ସରକାରୀ ଖାତାରେ ଯେତିକି କାଠ ଜବତ ହୋଇଛି, ତା’ର ଢେରଗୁଣା ଭିତିରିଆ ରାସ୍ତାରେ ପାର୍ ହେଉଛି। ଅର୍ଥାତ୍ ବନବିଭାଗ ଯେତେ ଧରୁଛି, ତା’ଠାରୁ ବହୁ ପରିମାଣରେ କାଠ ଚୋରାବାଟରେ ଗଳିଯାଉଛି। ଖରାଦିନରେ ଶୁଖିଲା କେନ୍ଦୁକାଠର ଚାହିଦା ବେଶୀ। ପୂର୍ବରୁ ମାଫିଆମାନେ ଦୁର୍ଗମ ଜଙ୍ଗଲ ଭିତରେ କେନ୍ଦୁକାଠ କାଟି ଶୁଖାଇ ରଖୁଥିଲେ। କାଠ ପୂରା ଶୁଖିବା ପରେ ଏହାକୁ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଯାଉଥିଲା। ଏବେ ବର୍ଷା ଦିନରେ ଘଞ୍ଚ ଜଙ୍ଗଲକୁ ବନବିଭାଗ ପହଞ୍ଚିବା ମୁସ୍କିଲ। ଏହାର ସୁଯୋଗ ନେଇ କଞ୍ଚା କାଠ ମଧ୍ୟ ବ୍ୟାପକ ଭାବେ ଚାଲାଣ ହେଉଥିବା ଜଣାପଡ଼ିଛି। ବର୍ଷକୁ ଶହଶହ ଟନ୍ କାଠ ଚାଲାଣ ହେଉଛି। କିନ୍ତୁ, ବନବିଭାଗ ହାତରେ ଲାଗୁଛି ମାତ୍ର କିଛି ଖଣ୍ଡ। ଗନ୍ଧମାର୍ଦ୍ଦନର ସୁରକ୍ଷା ପାଇଁ ଠୋସ୍ ପଦକ୍ଷେପ ନ ହେଲେ, ଆଗକୁ ଘଞ୍ଚ ଜଙ୍ଗଲ ପଦା ହୋଇଯିବ ବୋଲି ପରିବେଶପ୍ରେମୀମାନେ ମତପ୍ରକାଶ କରିଛନ୍ତି।