Odia News Portal

ନାଟୁ ନାଟୁ ଗୀତରେ ଝୁମିଲେ ଦକ୍ଷିଣ କୋରିଆ ଦୂତବାସ କର୍ମଚାରୀ, ଟୁଇଟରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

‘ରୌଦ୍ରମ୍‌ ରଣମ୍‌ ରୁଧିରମ୍‌’ (ଆର୍‌ଆର୍‌ଆର୍‌) ଗୀତ ଛନ୍ଦରେ ଦକ୍ଷିଣ କୋରିଆ ଦୂତାବାସ କର୍ମଚାରୀମାନେ ପ୍ରଦର୍ଶନ କରିଥିବା ନୃତ୍ୟର ଭିଡିଓ କ୍ଲିପ୍‌ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୁ ଆସିଛି।

ସେମାନଙ୍କର ସମ୍ମିଳିତ ଉଦ୍ୟମକୁ ପ୍ରଶଂସା କରି ଟୁଇଟ୍‌ର୍‌ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଭାବୋଚ୍ଛଳ ଓ ମନୋମୁଗ୍ଧକର ସମ୍ମିଳିତ ଉଦ୍ୟମ।

ଉଲ୍ଲେଖଯୋଗ୍ୟ, ସମ୍ପ୍ରତି ଭାଇରାଲ୍‌ ହୋଇଥିବା ଏହି ଭିଡିଓ ଭାରତସ୍ଥିତ କୋରୀୟ ଦୂତାବାସର ଅଫିସିଆଲ୍‌ ଟୁଇଟର୍‌ ହ୍ୟାଣ୍ଡେଲ୍‌ଦ୍ବାରା ସେୟାର୍‌ କରାଯାଇଛି। ୫୩ ସେକେଣ୍ଡ୍‌ର ଏହି କ୍ଲିପ୍‌ରେ ଖୁବ୍‌ ଉଚ୍ଛ୍ବାସର ସହିତ ଦକ୍ଷିଣ କୋରିଆର ଦୂତାବାସ କର୍ମଚାରୀମାନେ ନୃତ୍ୟ କରୁଥିବା ଦେଖାଯାଉଛି। ସେମାନଙ୍କ ସହିତ ରାଷ୍ଟ୍ରଦୂତ ଚାଙ୍ଗ୍‌ ଜାଏ-ବୋକ୍‌ ମଧ୍ୟ ନୃତ୍ୟ କରୁଛନ୍ତି। ଦୂତାବାସର ସମ୍ପୂର୍ଣ୍ଣ ଟିମ୍‌ ଗୀତର ମୂଳ ନୃତ୍ୟ ଅନୁସାରେ ନୃତ୍ୟ ପ୍ରଦର୍ଶନ କରିଛନ୍ତି।

ଏହି ପୋଷ୍ଟ୍ ସମ୍ବନ୍ଧରେ କରାଯାଇଥିବା ବର୍ଣ୍ଣନାରେ ଉଲ୍ଲେଖ ଅଛି, କୋରୀୟ ଦୂତାବାସର ‘ନାଟୁ ନାଟୁ’ ନୃତ୍ୟ କଭର୍‌ ସେୟାର୍‌ କରି ଆମେ ଆନନ୍ଦିତ। ଦୂତାବାସ କର୍ମଚାରୀଙ୍କ ‘ନାଟୁ ନାଟୁ!!’ରେ କୋରୀୟ ରାଷ୍ଟ୍ରଦୂତ ଚାଙ୍ଗ୍‌ ଜାଏ-ବୋକ୍‌ଙ୍କୁ ଦେଖନ୍ତୁ।

‘ଅନ୍‌ଲାଇନ୍‌’ରେ ସେୟାର୍‌ କରାଯିବା ପରେ ଏଯାବତ୍‌ ଏହି ଭିଡିଓ ୨ ଲକ୍ଷରୁ ଅଧିକ ‘ଭିୟୁ’ ହେଲାଣି।