Odia News Portal

ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ବଦଳିଲେ ଏଏସ୍‌ଆଇ ସହ ଦୁଇ କନଷ୍ଟେବଳ

ଥାନାରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜଣେ ଏଏସ୍‌ଆଇ ଓ ଦୁଇଜଣ କନଷ୍ଟେବଳଙ୍କୁ ଆନନ୍ଦପୁର ଥାନାରୁ ଅନ୍ୟତ୍ର ବଦଳି କରିଛନ୍ତି କେନ୍ଦୁଝର ଏସପି। ସେମାନେ ହେଲେ ଏଏସ୍‌ଆଇ ଅନୁପ ଲୁବୁନ ଓ କନଷ୍ଟେବଳ ମିନାକ୍ଷୀ ମଲ୍ଲିକ ଓ ବ୍ରଜକିଶୋର ନାୟକ। ସେମାନଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିବା କେନ୍ଦୁଝର ଏସପି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ମୋବାଇଲ ଦୋକାନରୁ ଡକାୟତି ଅଭିଯୋଗରେ ଆନନ୍ଦପୁର ଥାନା ଫକୀରପୁର ଗାଁର ଅମର ସାହୁକୁ ମଙ୍ଗଳବାର ଦିନ ହଦଗଦ ଅଞ୍ଚଳରୁ ଗିରଫ କରିଥିଲା ଆନନ୍ଦପୁର ପୁଲିସ। ପରେ ଅମରକୁ ଥାନା ହାଜତରେ ରଖାଯାଇଥିଲା। ଗତକାଲି ଶୌଚାଳୟ ଯିବା ବାହାନାରେ ଅମର ପୁଲିସକୁ ଚକମା ଦେଇ ଖିସି ଯାଇଥିଲା। ପୁଲିସ ଚାରିଆଡ଼େ ଖୋଜାଖୋଜି କରିବା ପରେ ଫକିରପୁର ବୈତରଣୀ ଘାଟରୁ ଅମରକୁ ଧରିଥିଲା। ପରେ ଦାୟିତ୍ୱରେ ଥିବା ଆନନ୍ଦପୁର  ଥାନା ଏଏସ୍‌ଆଇ ସହ ଦୁଇ କନଷ୍ଟେବଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏସପି। ସେମାନଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଥିଲେ।