Odia News Portal

କ୍ଷତିଗ୍ରସ୍ତଙ୍କ ପାଇଁ ଭଣ୍ଡାର ଖୋଲା

  • ସ୍କୁଲ ଓ ପରୀକ୍ଷା ଫି ଛାଡ
  • ଜଳ କର ଓ ଖଜଣା ଛାଡ
  • କୃଷି ଋଣ ସମୟ ସୀମା ବୃଦ୍ଧି
  • ଚାଷୀଙ୍କୁ ମିଳିବ ଇନପୁଟ ସବସିଡି
  • ରବି ଋତୁ ପାଇଁ ସ୍ବତନ୍ତ୍ର କିଟ

ଭୁବନେଶ୍ବର () ଗତ ଅକ୍ଟୋବର 11 ଓ 12 ତାରିଖ ଦୁଇ ଦିନ ଧରି ହୋଇଥିବା ବାତ୍ୟା ଓ ପରବର୍ତ୍ତି ବନ୍ୟା ପରିସ୍ଥିତି ଯୋଗୁଁ ରାଜ୍ୟର ବହୁ ଅଂଚଳରେ ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଭୁସ୍ଖଳ ଯୋଗୁଁ ମଧ୍ୟ ବହୁ କ୍ଷୟକ୍ଷତି ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଭାବିତଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ।

ବାତ୍ୟା ପ୍ରଭାବିତ ଜିଲ୍ଲାରେ ହାଇସ୍କୁଲ ସ୍ତର ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀଙ୍କ ସ୍କୁଲ ପି ଓ ପରୀକ୍ଷା ଫି ଛାଡ କରାଯାଇଛି । ଛାତ୍ରଛାତ୍ରୀଙ୍କୁ ବହି ମାଗଣା ଯୋଗାଇ ଦେବା ସହ ଦୁଇ ହଳ ସ୍କୁଲ ଡ୍ରେସ ପ୍ରଦାନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । 33 ପ୍ରତିଶତରୁ ଅଧିକ ଫସଲ କ୍ଷୟକ୍ଷତି ହୋଇଥିବା ଅଂଚଳରେ ଚାଷୀଙ୍କୁ ସଂପୂର୍ଣ୍ଣ ଖଜଣା ଓ ଜଳ କର ଛାଡ କରାଯାଇଛି ।

ପ୍ରଭାବିତ ଅଂଚଳରେ 33 ପ୍ରତିଶତରୁ ଅଧିକ ଫସଲ ହାନୀ ହୋଇଥିବା ଚାଷୀଙ୍କ ସ୍ବଳ୍ପକାଳିନ ଋଣକୁ ମଧ୍ୟବର୍ତ୍ତିକାଳିନ ଋଣରେ ପରିବର୍ତ୍ତନ କରାଯାଇଛି । ଋଣ ପରିଶୋଧର ସମୟ ସୀମାକୁ ମଧ୍ୟ ଆସନ୍ତା 2019 ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିଭଳି ରବି ଋତୁ ପାଇଁ ଅଧିକରୁ ଅଧିକ ଭାଗଚାଷୀ ଏବଂ ମୌଖିକ ଭାଗ ନେଇଥିବା ଚାଷୀଙ୍କ ଚିହ୍ନଟ ପାଇଁ ତୁରନ୍ତ ଜଏଣ୍ଟ ଲାଏବିଲିଟି ଗ୍ରୁପ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କୃଷି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତି ପାଇଁ 33 ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଥିବା ସବୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିବ ଇନପୁଟ ସବସିଡି । ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା 6800 ଟଙ୍କା ହିସାବରେ କ୍ଷତିପୂରଣ ମିଳିବ । ଜଳସେଚିତ ଜମି ପାଇଁ ହେକ୍ଟର ପିଛା 13ହଜାର 500 ଟଙ୍କା ହାରରେ ମିଳିବ କ୍ଷତିପୂରଣ । ଆମ୍ବ, କାଜୁ, ନଡିଆ, ପାନ ବରଜ ଆଦି ସବୁ ପ୍ରକାର ବର୍ଷବ୍ୟାପୀ ଫସଲ ପାଇଁ ହେକ୍ଟର ପିଛା 18ହଜାର ଟଙ୍କା କ୍ଷତିପୂରଣ ମିଳବ । କ୍ଷତିପୂରଣ କେବଳ ବାସ୍ତବିକ ଚାଷୀକୁ ମିଳିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବର୍ଷବ୍ୟାପୀ ଫସଲ ପାଇଁ ଚାଷୀଙ୍କୁ ସର୍ବନିମ୍ନ 2000 ଟଙ୍କା ଏବଂ ଅନ୍ୟାନ ଫସଲ ପାଇଁ ସର୍ବନିମ୍ନ ହଜାରେ ଟଙ୍କା ଇନପୁଟ ସବସିଡି ମିଳିବ ।

ଆଗାମୀ ରବି ଋତୁକୁ ଦୃଷ୍ଟିରେ ରଖି 1ଲକ୍ଷ 20ହଜାର ଡାଲିଜାତୀୟ କିଟ, 30ହଜାର ତୈଳବିଜ କିଟ ଏବଂ 50ହଜାର ପନିପରିବା କିଟ ଏହିପରି ମୋଟ 2ଲକ୍ଷ ସ୍ବତନ୍ତ୍ର ମିନିକିଟ ତିତଲି ପ୍ରଭାବିତ ଅଂଚଳର ଚାଷୀଙ୍କୁ ପ୍ରଦାନ କରାଯିବ । ରବି ଋତୁରେ 20 ହଜାର କେକ୍ଟର ଜମିରେ ରବି ଚାଷର ପ୍ରଦର୍ଶନ କରାଯିବ । 20ହଜାର ହେକ୍ଟର ଜମିରେ ଫଳଜାତୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବ । ଏହି କାର୍ଯ୍ୟକ୍ରମ କେବଳ ତିତଲି ପ୍ରଭାବିତ ଅଂଚଳରେ କାର୍ଯ୍ୟକାରୀ ହେବ ।

2ହଜାର ହେକ୍ଟର ଜମିରେ ଆଖୁଚାଷ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ । ଏଥିପାଇଁ ଚାଷୀଙ୍କୁ ଦୀର୍ଘସ୍ଥାୟୀ ଆଖୁଚାଷ ପାଇଁ ହେକ୍ଟର ପିଛା 20ହଜାର ଟଙ୍କା କିମ୍ବା ଆଖୁ ଗଛର ନୂଆ ଅଙ୍କୁର ସୃଷ୍ଟି ପରିଚାଳନାରେ ହେକ୍ଟର ପିଛା 12ହଜାର 500 ଟଙ୍କାର ସ୍ବତନ୍ତ୍ର ସହାୟତା ଦିଆଯିବ । ବାତ୍ୟା ପ୍ରଭାବିତ ଅଂଚଳରେ ସ୍ଥଳକାଣ୍ତ ବା କନ୍ଦମୂଳ ଜାତୀୟ ଚାଷ ପାଇଁ 2ହଜାର ଚାଷୀଙ୍କୁ ହେକ୍ଟର ପିଛା 7000 ଟଙ୍କାର ସହାୟତା ଦିଆଯିବ । ବାତ୍ୟା ପ୍ରଭାବିତ ଅଂଚଳରେ ହଜାରେ ପମ୍ପ ସେଟ 50 ପ୍ରତିଶତ ରିହାତିରେ ଯୋଗାଇ ଦେବାକୁ ଆଜି ଘୋଷଣା କରିଛନ୍ତି ସରକାର । ସୌର ଜଳନିଧି ଯୋଜନାରେ ସେହିଭଳି ଏକ ହଜାର ସୌର ପମ୍ପସେଟ 90 ପ୍ରତିଶତ ରିହାତିରେ ଚାଷୀଙ୍କୁ ଯୋଗାଇ ଦିଆଯିବ ।

ତିତଲି କ୍ଷତିଗ୍ରସ୍ତ ଅଂଚଳରେ 5000 ସ୍ପ୍ରେୟାର ବଣ୍ଟନ କରିବେ ସରକାର । ବ୍ୟାଟେରୀ ଚାଳିତ ସିଞ୍ଚନ ଯନ୍ତ୍ର ପାଇଁ 50 ପ୍ରତିଶତ ରିହାତି ସର୍ବାଧିକ 3800 ଟଙ୍କା ପର୍ଯ୍ୟନ୍ତ ଏବଂ ହାତଚାଳିତ ସିଞ୍ଚନ ଯନ୍ତ୍ର ପାଇଁ 600 ଟଙ୍କାର ସର୍ବାଧିକ ରିହାତି ଦିଆଯିବ । ପ୍ରଭାବିତ ଅଂଚଳରେ ଆସନ୍ତା ରବି ଋତୁରେ ଡାଲିଜାତୀୟ ଓ ତୈଳବିଜ ଚାଷ ପାଇଁ ରାଜ୍ୟ ସରକାର 75ହଜାର ଚାଷୀଙ୍କୁ 75ହଜାର ଏକର ଜମିରେ କିଟନାଷକ ପ୍ରୟୋଗ ତାଲିମ ଦିଆଯିବ । ଏଥିପାଇଁ 750ଟି କ୍ୟାମ୍ପ କରାଯିବା ସହ ଚାଷୀଙ୍କୁ ମାଗଣା କିଟ ନାଷକ ପ୍ରଦାନ କରାଯିବ । 50ହଜାର ପ୍ରଭାବିତ ଚାଷୀଙ୍କୁ ପରିବାର ପିଛା 5ଟି ଫଳ ଗଛ ଚାରା ଓ 4ଟି ନଡିଆ ଗଛ ଚାରା ପ୍ରଦାନ କରାଯିବ ।

ତ୍ବରାନ୍ବିତ ଭାବେ ଚାଷୀଙ୍କୁ ଉନ୍ନତମାନର ରବି ବିହନ ଯୋଗାଣ ସହ କ୍ଷତିଗ୍ରସ୍ତ ହୋଇଥିବା ଉଠାଜଳସେଚନ ପଏଣ୍ଟଗୁଡିକର ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଶକ୍ତି ବିଭାଗ ଏହିସବୁ ପଏଣ୍ଟକୁ ଜଥାଶୀଘ୍ର ବିଦ୍ୟୁତ ସଂଯୋଗ ଯୋଗାଇଦେବ । ଗାଇ ଓ ମଇଷି ପାଇଁ ୩୦ହଜାର, ଛେଳି ପାଇଁ ୩୦୦୦ ଓ କୁକୁଡା ମରିଥିଲେ ଗୋଟା ୫୦ ଟଙ୍କା ହିସାବରେ ମିଳିବ କ୍ଷତିପୂରଣ। ଗୁହାଳ ମରାମତି ପାଇଁ ୧୦ହଜାର, ଡଙ୍ଗା ପାଇଁ ୨୨ହଜାର ଓ ବଡଡଙ୍ଗା ୬୦ହଜାର ଟଙ୍କା ଦିଆଯିବ । ଜାଲ ପାଇଁ ୧୫ହଜାର ଟଙ୍କା ସହାୟତା ଦିଆଯିବ । ମତ୍ସ୍ୟ ଓ ପଶୁ ସମ୍ପଦ କ୍ଷୟକ୍ଷତି, ରେଶମ ଚାଷ ଓ ତୁତ ଚାଷୀଙ୍କୁ ମଧ୍ୟ ସରକାର ଦେବେ କ୍ଷତିପୂରଣ । ଗାଇ ଗୁହାଳ ଭାଙ୍ଗିଥିଲେ ବି ମିଳିବ କ୍ଷତିପୂରଣ  । ଏପରିକି କଳାକାରଙ୍କୁ ମଧ୍ୟ ସେମାନଙ୍କ କ୍ଷୟକ୍ଷତି ପାଇଁ ଦିଆଯିବ କ୍ଷତିପୂରଣ ।