Odia News Portal

କରୋନା ପାଇଁ SRCଙ୍କ ନୂଆ ଗାଇଡଲାଇନ

ଭୁବନେଶ୍ୱର() ବାହାଘରରେ ୧୦ ବର୍ଷରୁ କମ୍‌ ପିଲା ଯୋଗ ଦେଇ ପାରିବେ ନାହିଁ । ସେହିପରି ୬୫ ବର୍ଷରୁ ଅଧିକ ବୟସ୍କ ମଧ୍ୟ ସାମିଲ ହେବେନି ଏଭଳି କାର୍ୟ୍ୟକ୍ରମରେ । ଖାଲି ସେତିକି ନୁହେଁ, ଗର୍ଭବତୀ ମହିଳା, ଅସୁସ୍ଥ ବ୍ୟକ୍ତି ମଧ୍ୟ ଯୋଗ ଦେଇପାରିବେନି । ଏହି କଟକଣାକୁ କଡ଼ାକଡ଼ି ଲାଗୁ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି ।

ବିବାହ ଓ ଶେଷକୃତ୍ୟ ପାଇଁ ରାଜ୍ୟ ସରକାର ଜାରି କରିଥିବା କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରିବା ନେଇ ସମସ୍ତ ଜିଲ୍ଲାପାଳ, ଏସ୍‌ପି, ମହାନଗର ନିଗମ କମିଶନର, କମିଶନରେଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆରସି ପ୍ରଦୀପ କୁମାର ଜେନା ।

ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି, ବିବାହ ଓ ଶେଷ କୃତ୍ୟ କାର୍ୟ୍ୟ ପାଇଁ ସ୍ଥାନୀୟ ପୁଲିସଠାରୁ ଅନୁମତି ନେବାକୁ ପଡ଼ିବ। କୌଣସି ପରିସ୍ଥିତିରେ ବିବାହ କାର୍ୟ୍ୟରେ ବର ପକ୍ଷ, କନ୍ୟା ପକ୍ଷ, ସାଙ୍ଗସାଥୀ, ବନ୍ଧୁ ବାନ୍ଧବ, ପୂଜାରୀ, ସେବା ଯୋଗାଉଥିବା ଲୋକ, ଖାଦ୍ୟ ପ୍ରସ୍ତୁତ କରୁଥିବା ରୋଷେୟା ଏବଂ ଖାଦ୍ୟ ବଣ୍ଟନ କରୁଥିବା ଲୋକଙ୍କୁ ମିଶାଇ ସର୍ବାଧିକ ୫୦ଜଣ ଯୋଗ ଦେବେ । କୌଣସି ବି ପରିସ୍ଥିତିରେ ଏହି ସଂଖ୍ୟା ୫୦ ଡେଇଁବନି । ଥଣ୍ଡା, କାଶ, ଜ୍ୱର ଏବଂ ଶ୍ୱାସକ୍ରିୟାରେ ଅସୁସ୍ଥତା ଅନୁଭବ କରୁଥିବା ବ୍ୟକ୍ତି ଆଦୌ ଯୋଗ ଦେଇପାରିବେନି । ପ୍ରତ୍ୟେକ ବ୍ୟକ୍ତି ମୁହଁରେ ମାସ୍କ ପିନ୍ଧିବାକୁ ବାଧ୍ୟ । ପରସ୍ପର ମଧ୍ୟରେ ଅତି କମ୍‌ରେ ୨ ମିଟର ଶାରିରୀକ ଦୂରତା ରକ୍ଷା କରିବାକୁ ପଡ଼ିବ । ଛିଡ଼ା ହୁଅନ୍ତୁ ଅବା ବସିବାବେଳେ କିମ୍ବା ଭୋଜନବେଳେ ସବୁ ସମୟରେ ଏଭଳି ଦୂରତା ରକ୍ଷା କରିବାକୁ ପଡ଼ିବ । ବିବାହ ଉପଲକ୍ଷେ କୌଣସି ଶୋଭାଯାତ୍ରା (ପ୍ରୋସେସନ୍‌) ହୋଇପାରିବ ନାହିଁ । କେହି ଗୁଟ୍‌ଖା କିମ୍ବା ପାନ ଖାଇ ପାରିବେନି । ବିବାହ ସ୍ଥାନରେ ହାତ ଧୁଆ ପାଇଁ ପାଣି ଓ ସାବୁନ ଆଦି ବ୍ୟବସ୍ଥା ରଖିବାକୁ ପଡ଼ିବ । ଏହାସହ ସାନିଟାଇଜର ରଖିବାକୁ କୁହାଯାଇଛି ।

ବିବାହ କାର୍ୟ୍ୟରେ କୌଣସି ପ୍ରକାର କଟକଣାର ଉଲ୍ଲଂଘନ ହେଲେ କଠୋର କାର୍ୟ୍ୟାନୁଷ୍ଠାନ ନେବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି । ନିମନ୍ତ୍ରଣ କରିଥିବା ବ୍ୟକ୍ତି ବା ଆୟେଜକ ଏବଂ ବିବାହ ମଣ୍ଡପର ମ୍ୟାନେଜରଙ୍କୁ ଏଥିପାଇଁ ଦାୟୀ କରାଯିବ । ବିବାହରେ ଯୋଗ ଦେଇଥିବା ଲୋକ ମଧ୍ୟ ଦାୟୀ ରହିବେ । ସେମାନଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ହେବ ।