Odia News Portal

ହାଜତ ମୃତ୍ୟୁର ସତ୍ୟପାଠ ଦାଖଲ

କଟକ: ପୁରୀ ବାସେଳି ସାହି ଥାନା ପୋଲିସ ହେପାଜତରେ ମୃତ୍ୟୁ ଘଟଣାକୁ ରାଜ୍ୟ ସରକାରଙ୍କ ଅସ୍ୱୀକାର କରିଛନ୍ତି। ପୁରୀ ହାଜତ ମୃତ୍ୟୁ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ସତ୍ୟପାଠ ସହ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ କରିଛନ୍ତି ରାଜ୍ୟ ସରକାର । ତେବେ ରିପୋର୍ଟରେ ହାଜତ ମୃତ୍ୟୁ ହୋଇନଥିବା ଉଲ୍ଲେଖ ରହିଛି । ତେବେ ଏହି ମାମଲାର ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରି ୨୨ କୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି ।

ସୂଚନାନୁଯାୟୀ, ନଭେମ୍ବର ୧୯ ତାରିଖରେ ପୁରୀ ବାସେଳିସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ହୋଇଥିଲା । କେ.ରମେଶ ନାମକ ଯୁବକଙ୍କୁ ଥାନା ଭିତରେ ପିଟିପିଟି ମାରି ଦିଆଯାଇଥିବା ନେଇ ମୃତକଙ୍କ ପରିବାର ଲୋକ ଗୁରୁତର ଅଭିଯୋଗ କରିଥିଲେ । ରମେଶଙ୍କ ଦେହସାରା ମାଡ଼ ଦାଗ ରହିଥିବାବେଳେ ନୋଳା ଫାଟି ରକ୍ତ ଜମାଟ ବାନ୍ଧିଥିବା ଦେଖିବାକୁ ମିଳିଥିଲା । ମାଡ଼ରେ ଦେହସାରା ସିଝି କଳା ପଡ଼ିଯାଇଥିଲା। ତେବେ ପୁଲିସ ପରିବାର ଲୋକଙ୍କୁ ନ ଜଣାଇ କେ.ରମେଶଙ୍କ ଶବ ସତ୍କାର କରିଦେବାରୁ ନୂଆ ବିବାଦ ମୁଣ୍ଡଟେକିଥିଲା । ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ପୀଡ଼ିତ ପରିବାରକୁ କ୍ଷତିପୂରଣ ପାଇଁ ଆବେଦନ କରାଯାଇଥିଲା । ଏହି ଘଟଣାର ତଦନ୍ତ ଅଦାଲତ ନିଜେ ତଦାରଖ କରନ୍ତୁ ବୋଲି ଦର୍ଶାଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା ।

ଏହି ମାମଲାରେ ପୂର୍ବରୁ ପୁରୀ ଏସ୍‌ପି ଡକ୍ଟର କେ.ଭି. ସିଂହ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ। ଦର୍ଶାଇଥିଲେ ଯେ ଏହି ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିସନ୍ ଓ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ କେତେକ ବ୍ୟକ୍ତି ଅଭିଯୋଗ କରିଛନ୍ତି। ଏନ୍‌ଏଚ୍‌ଆର୍‌ସି ଏକ ମାମଲା ରୁଜୁ କରି ପୂର୍ବ‌ ଜୋନ୍ ସ୍ପେସାଲ ରାପୋର୍ଟିଅର ଅବସରପ୍ରାପ୍ତ ଆଇଏଏସ୍ ଡକ୍ଟର ବିନୋଦ ଅଗ୍ରୱାଲଙ୍କୁ ୪ ସପ୍ତାହ ଭିତରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଅଗ୍ରୱାଲ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ତଦନ୍ତ କରି ‌ରିପୋର୍ଟ ଦାଖଲ କରିବେ ।