Odia News Portal

ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ ପରୀକ୍ଷାର୍ଥୀ

ଭୁବନେଶ୍ବର: ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଅଢେଇ ଘଣ୍ଟା ବଦଳରେ ୨ ଘଣ୍ଟା ଅବଧିର ପରୀକ୍ଷା ।କରୋନା ପ୍ରକୋପ ମଧ୍ୟରେ ରାଜ୍ୟରେ ଅନୁଷ୍ଠିତ ହେବ ମାଟ୍ରିକ ପରୀକ୍ଷା । ତେବେ ଛାତ୍ରଛାତ୍ରୀମାନେ ଏଣିକି ନିଜ ସ୍କୁଲରେ ହିଁ ମାଟ୍ରିକ ପରୀକ୍ଷା ଦେବେ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।

କରୋନା ଯୋଗୁଁ ରହିବା ଓ ଯାତାୟତରେ ଅଭିଭାବକ, ଛାତ୍ରଛାତ୍ରୀ ଅସୁବିଧା ଭୋଗିବାର ଆଶଙ୍କା ଥିବାରୁ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇ ନଥିଲେ ମଧ୍ୟ ଖୁବ୍‌ଶୀଘ୍ର ଏନେଇ ସବିଶେଷ ତଥ୍ୟ ବିଦ୍ୟାର୍ଥୀଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପ୍ରତି ବିଷୟରେ ୮୦ ମାର୍କର ଉତ୍ତର ଦେବେ ପରୀକ୍ଷାର୍ଥୀ । ପୂର୍ବରୁ ୧୦୦ ମାର୍କ ପରୀକ୍ଷା ପାଇଁ ଅଢେଇ ଘଣ୍ଟା ସମୟ ଦିଆଯାଉଥିଲା । ଏବେ ୨ ଘଣ୍ଟା ସମୟ ମିଳିବ । ସେହିପରି ପିଲାମାନେ ନିଜ ନିଜ ସ୍କୁଲରେ ପରୀକ୍ଷା ଦେବେ । କିନ୍ତୁ ଅନ୍ୟ ସ୍କୁଲର ଶିକ୍ଷକମାନେ ନିରୀକ୍ଷକ ରହିବେ । ସକାଳ ୮ଟାରୁ ୧୦ଟା ଯାଏଁ ପରୀକ୍ଷା ହେବ ।ସେହିଭଳି ପରୀକ୍ଷା କେନ୍ଦ୍ରରେ କପି ରୋକିବା ପାଇଁ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ହେବ ।