Odia News Portal

ଫେସବୁକରେ ଲେଖିଦେଲେ i quit; ପରେ ଛୁଆକୁ ମାରିଦେଲେ ନିଜେ ଆତ୍ମହତ୍ୟା କଲେ

ମାଆ ଛୁଆର ସମ୍ପର୍କ ସବୁଠାରୁ ଶ୍ରେଷ୍ଠ ସମ୍ପର୍କ । ଛୁଆର ଜୀବନ ପାଇଁ ମାଆ କିଛି ବି କରିପାରେ । କେବଳ ମଣିଷ ନୁହେଁ ପଶୁ,ପକ୍ଷୀମାନେ ମଧ୍ୟ ନିଜ ଶାବକ ପାଇଁ କରୁଥିବା ତ୍ୟାଗର ଅନେକ ନମୁନା ଆପଣ ଆଗରୁ ଦେଖିଥିବେ । କିନ୍ତୁ କଟକରୁ ଏପରି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଭାବବିହ୍ୟୁଳ କରିବାକୁ ବାଧ୍ୟ କରିବ ।

ମଧୁପାଟଣା ଅଞ୍ଚଳର ଶ୍ରୀରାମନଗର ନିକଟରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଅଢେଇ ବର୍ଷର ଛୋଟିଆ ଶିଶୁର ତଣ୍ଟିକୁ ଚିପି ମାରିଦେଇଛନ୍ତି ନିଜେ ମାଆ । ଶିଶୁର ମୃତ୍ୟୁ ହେବା ପରେ ନିଜେ ମାଆ ମଧ୍ୟ ଏକ ଶାଢି ବ୍ୟବହାର କରି ଆତ୍ମହତ୍ୟା କରିଛନ୍ତି ।

ଆତ୍ମହତ୍ୟା ଖବର ପାଇବା ପରେ କଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଉଭୟ ମାଆ ଓ ଶିଶୁଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କାହିଁକି ଏବଂ କେଉଁ କାରଣରୁ ଏପରି ଘଟିଲା ସେନେଇ ଏପର୍ଯ୍ୟନ୍ତ କିଛି ଜଣାପଡିନଥିବାବେଳେ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି ପୋଲିସ ।

ମୃତ ମହିଳାଙ୍କ ଶିଳ୍ପୀ ଖୁଣ୍ଟିଆ ଓ ତାଙ୍କ ସ୍ୱାମୀଙ୍କର ନାମ ସନ୍ତୋଷ ଖୁଣ୍ଟିଆ । ସନ୍ତୋଷ ଜଣେ ଇଞ୍ଜିନିୟର ଭାବରେ କାର୍ଯ୍ୟରତ । କୌଣସି କାରଣରୁ ସନ୍ତୋଷ ଦ୍ୱିତୀୟ ବିବାହ କରିଥିବା ସୂଚନା ମିଳିଛି । ତେବେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଥିଲା ବୋଲି ପଡୋଶୀ କହିଛନ୍ତି । ବିବାଦ ଉଗ୍ରରୂପ ଧାରଣ କରି ମାମଲା ଥାନା ପର୍ଯ୍ୟନ୍ତ ମଧ୍ୟ ଯାଇଥିବା କୁହାଯାଉଛି । କିନ୍ତୁ ଉଭୟଙ୍କ ବିବାଦରେ କୌଣସି ସମାଧାନର ସୁତ୍ର ବାହାରି ନଥିଲା । ହୁଏତ ସେହି କାରଣ ପାଇଁ ପତ୍ନୀ ଏପରି ପଦକ୍ଷପ ଗ୍ରହଣ କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।