Odia News Portal

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ପୋଷ୍ୟ ସନ୍ତାନ ଗ୍ରହଣକାରୀ ମା’ଙ୍କୁ ମିଳିବ ୧୨ ସପ୍ତାହର ଛୁଟି

ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ଙ୍କ ପାଇଁ ବଡ଼ ଆଶ୍ୱସ୍ତି । ସବୁ ପୋଷ୍ୟ ସନ୍ତାନ ଗ୍ରହଣକାରୀ ମା’ଙ୍କୁ ମିଳିବ ମାତୃତ୍ୱକାଳୀନ ଛୁଟି । ଶିଶୁର ବୟସ ଯାହା ହେଉ, ମା’ଙ୍କୁ ମିଳିବ ୧୨ ସପ୍ତାହର ଛୁଟି । ଏବେ ବଡ଼ ପିଲାଙ୍କୁ ଗ୍ରହଣ କଲେ ବି ଏହି ଛୁଟି ମିଳିବ । ପୋଷ୍ୟ ସନ୍ତାନ ଗ୍ରହଣ କ୍ଷେତ୍ରରେ ବୟସ ସୀମା ନିୟମ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ପିତୃତ୍ୱ କାଳୀନ ଛୁଟି ପାଇଁ ବି ମିଳିଲା ସଙ୍କେତ । ସାମାଜିକ ସୁରକ୍ଷା ସଂହିତା Social Security Code, 2020ର ଧାରା ୬୦(୪) ଅନୁଯାୟୀ, କେବଳ ସେହି ମା’ମାନଙ୍କୁ ୧୨ ସପ୍ତାହର ମାତୃତ୍ୱ କାଳୀନ ଛୁଟି ମିଳୁଥିଲା, ଯେଉଁମାନେ ୩ ମାସରୁ କମ୍ ବୟସର ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରୁଥିଲେ । ୩ ମାସରୁ ଅଧିକ ବୟସର ଶିଶୁକୁ ଗ୍ରହଣ କଲେ କୌଣସି ସୁବିଧା ମିଳୁନଥିଲା । ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ଜେ.ବି. ପାର୍ଦିୱାଲା ଓ ଜଷ୍ଟିସ୍ ଆର୍. ମହାଦେବନଙ୍କୁ ନେଇ ଗଠିତ ବେଞ୍ଚ ଏହି ବୟସ ସୀମାକୁ ଅସାମ୍ବିଧାନିକ ଏବଂ ପାତରଅନ୍ତର ବୋଲି କହିଛନ୍ତି ।କୋର୍ଟ କହିଛନ୍ତି, ଶିଶୁର ବୟସ ଯାହା ହେଉନା କାହିଁକି, ଜଣେ ନୂଆ ମା’ ଭାବେ ତାଙ୍କର ଯତ୍ନ ନେବା ଏବଂ ସମ୍ପର୍କ ଗଢ଼ିବା ପାଇଁ ସମୟ ଆବଶ୍ୟକ । ବୟସ ଆଧାରରେ ମା’ମାନଙ୍କ ମଧ୍ୟରେ ଭେଦଭାବ କରିବା ସମାନତା ଅଧିକାରର ଉଲ୍ଲଂଘନ । ଏହି ରାୟ ପରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଥିବା ଶିଶୁର ବୟସ ଯାହା ବି ହୋଇଥାଉ ମା’ଙ୍କୁ ପିଲାଟି ମିଳିବା ଦିନଠାରୁ ୧୨ ସପ୍ତାହର ସମ୍ପୂର୍ଣ୍ଣ ଛୁଟି ମିଳିବ । ଏହି ନିୟମ ସରୋଗେସୀ ମାଧ୍ୟମରେ ମା’ ହୋଇଥିବା ମହିଳାଙ୍କ ପାଇଁ ମଧ୍ୟ ଲାଗୁ ହେବ ।କୋର୍ଟ କହିଛନ୍ତି ବଡ଼ ପିଲାଙ୍କୁ ଗ୍ରହଣ କଲେ ସେମାନଙ୍କ ସହ ମାନସିକ ଓ ଭାବପ୍ରବଣ ସମ୍ପର୍କ ଯୋଡ଼ିବା ପାଇଁ ଆହୁରି ଅଧିକ ସମୟ ଓ ଯତ୍ନ ଦରକାର । ବିଶେଷ କରି ଭିନ୍ନକ୍ଷମ ପିଲା ବା ଜଣେ ଏକାକୀ ମା’ ଙ୍କ ପାଇଁ ଏହି ଛୁଟି ଅତ୍ୟନ୍ତ ଜରୁରୀ । ଏହି ଅବସରରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି, ପିଲାଙ୍କ ଲାଳନପାଳନ କେବଳ ମା’ଙ୍କ ଦାୟିତ୍ୱ ନୁହେଁ । ତେଣୁ ବାପାମାନଙ୍କୁ ମଧ୍ୟ ପିତୃତ୍ୱ କାଳୀନ ଛୁଟି ଦେବା ପାଇଁ ସରକାର ନିୟମ ପ୍ରଣୟନ କରିବା ଉଚିତ୍ । ଏହି ନିଷ୍ପତ୍ତି ଦ୍ୱାରା ହଜାର ହଜାର ପରିବାର ଉପକୃତ ହେବେ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ଅଧିକ ସହଜ ଓ ସମ୍ମାନଜନକ ହେବ ।