Odia News Portal

ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ,ପ୍ରଦୀପ ଜେନା ଉନ୍ନୟନ କମିଶନର

ରାଜ୍ୟ ପ୍ରଶାସନିକ ସେବାର ବଡ ଧରଣର ଅଦଳ ବଦଳ ।ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର ହେଲେ ନୂଆ ମୁଖ୍ୟ ଶାସନ ସଚିବ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସ୍ଥାନରେ ସୁରେଶ ମହାପାତ୍ରଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଡିସେମ୍ବର ୩୧ ତାରିଖରେ ଅବସର ନେବେ। ସେହିଦିନ ଅପରାହ୍ନରେ ସୁରେଶ ମହାପାତ୍ର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ।

୧୫ ଅଗଷ୍ଟ ୨୦୧୯ ରେ ଅସିତ ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ପ୍ରଦାନ କରା ଯାଇଥିଲା । ଏହାସହ ପ୍ରଦୀପ ଜେନାଙ୍କୁ ଉନ୍ନୟନ କମିଶନ ଭାବେ ଦାୟିତ୍ୱ ଦିଆଯାଇଛି । ପ୍ରଦୀପ ଜେନା ଏହା ବ୍ୟତିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ । ଅନ୍ୟପକ୍ଷରେ ଅବସର ପରେ ନୂଆ ଦାୟିତ୍ୱ ଗ୍ରହଣ କରିବେ ଅସିତ ତ୍ରିପାଠୀ । ସରକାର ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ମଧ୍ୟ ସେ କାର୍ଯ୍ୟ କରିବେ। ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷି ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ । ସେହିପରି ବରିଷ୍ଠ ଆଇଏଏସ୍‌ ପ୍ରଦୀପ ଜେନାଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ବରିଷ୍ଠତା ଭିତ୍ତିରେ ଚାରି ଜଣ ଆଇଏଏସ୍‌ଙ୍କୁ ପଛରେ ପକାଇ ତାଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଛି।

ସୂଚନାନୁସାରେ ସୁରେଶ ଚନ୍ଦ୍ର ମହାପାତ୍ର ୧୯୮୬ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ । ଶ୍ରୀ ମହାପାତ୍ର ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରିଛନ୍ତି। ବହୁ ସମୟ ଧରି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଦାୟିତ୍ୱ ତୁଲାଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ସେହିଭଳି ସ୍ପେଶାଲ ରିଲିଫ୍ କମିଶନର ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେଇଛନ୍ତି।