Odia News Portal

ସ୍ୱାଧିକାର ପ୍ରଭାବ, ସିଏମ୍‍ସି ଷ୍ଟାଇଲରେ ବିଏମ୍‍ସିର ଚଢଉ ଆରମ୍ଭ

ଭୁବନେଶ୍ୱର : ଖାଦ୍ୟ ସୁରକ୍ଷା ଯାଞ୍ଚ କ୍ଷେତ୍ରରେ ବିଏମ୍‍ସିର ନିଷ୍ପ୍ରିୟତା ନେଇ ଆଜି “ସ୍ୱାଧିକାର”ରେ ଖବର ପ୍ରକାଶ ପାଇବା ପରେ ପରେ ବିଏମ୍‍ସି କର୍ତ୍ତୃପକ୍ଷ ସକ୍ରିୟ ହୋଇ ଉଠିଛନ୍ତି । ରାଜଧାନୀର ବିଭିନ୍ନ ମିଷ୍ଠାନ୍ନ ଭଣ୍ଡାରରେ ଚଢଉ କରି ଜୋରିମାନା ଆଦାୟ ସହିତ ପୁଳା ପୁଳା ପଲିଥିନ୍‍ ଜବତ କରିଛନ୍ତି । ତେବେ ବିଏମ୍‍ସିର ଏଭଳି ଚଢଉ ସିଏମ୍‍ସିର କପି ବୋଲି ଲୋକେ ଆଲୋଚନା କରୁଛନ୍ତି ।

ପାର୍ବଣ ସମୟରେ ଖାଦ୍ୟ ସୁରକ୍ଷା ଯାଞ୍ଚ ନକରି ବିଏମ୍‍ସି କିଭଳି ଶୋଇଛି ଓ ଦ୍ୱୈତ ମହାନଗରୀର ଆଉ ଗୋଟିଏ ଫାଳ ସିଏମ୍‍ସି କିଭଳି ଘନ ଘନ ଚଢଉ ଚଳାଇଛି ସେ ସଂକ୍ରାନ୍ତରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା । ତେବେ ଖବର ପ୍ରକାଶିତ ହେବାରେ କିଛି ସମୟ ମଧ୍ୟରେ ଏହା ପ୍ରଭାବ ଦେଖିବାକୁ ମିଳିଥିଲା ସ୍ମାର୍ଟସିଟିରେ । ବିଏମ୍‍ସି କର୍ତ୍ତୃପକ୍ଷ ଦଳ ବଳ ଧରି ବିଭିନ୍ନ ଖାଦ୍ୟ ଦୋକାନରେ ଚଢଉ କରିଥିଲେ । କାହାକୁ ଜୋରିମାନା ତ ଆଉ କାହାର ପଲିଥିନ୍‍ ଜବତ କରିଥିଲେ । ତେବେ ଦୀର୍ଘ ଦିନ ଧରି ଶୋଇ ରହିଥିବା ବିଏମ୍‍ସିର ଏଭଳି ଚଢଉକୁ ନେଇ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ରାଜଧାନୀର ସାଧାରଣ ଲୋକେ ଆଲୋଚନା କରୁଛନ୍ତି ।

ଲୋକଙ୍କ କହିବା କଥା ଯେ ସିଏମ୍‍ସି କଟକ ସହରରେ ଖାଦ୍ୟ ଯାଞ୍ଚ କରି ଉଭୟ ସାଧାରଣ ଲୋକ ଓ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ପରେ ଲୋକ ଲଜ୍ଜାରୁ ବଞ୍ଚିବାପାଇଁ ବିଏମ୍‍ସି ଆଜି ଏଭଳି ପଦକ୍ଷେପ ନେଇଛି । ଦିନ ସାରା ଚଢଉରୁ ମାତ୍ର ୧୮ଟି ନମୂନା ପରୀକ୍ଷାପାଇଁ ପଠାଇଥିବାବେଳେ ଜୋରିମାନା ବି ଅତି ନଗଣ୍ୟ ରହିଛି । ତେବେ ବିଏମ୍‍ସି ଅଧିକାରୀମାନେ କେତେକ ଦୋକାନରୁ ଏକକ ବ୍ୟବହୃତ ପୁଳାଏ ପଳିଥିନ୍‍ ଜବତ କରିଥିବା କହିଛନ୍ତି ।

ସାଧାରଣ ଲୋକେ କରୁଥିବା ଆଲୋଚନା ଅନୁଯାୟୀ ବର୍ଷ ସାରା ଶୋଇଥିବା ବିଏମ୍‍ସିର ନିନ୍ଦ ଭାଙ୍ଗିଲା କେମିତି ? ବର୍ଷ ସାରା ବିଏମ୍‍ସିର ଖାଦ୍ୟ ଯାଞ୍ଚ ସଂକ୍ରାନ୍ତରେ କିଛି ଖୋଜ ଖବର ନଥାଏ । ତେବେ ସିଏମସିର ଚଢାଉ ଖବର ପରେ ପରେ ଆଜି ବିଏମ୍‍ସି ଏଭଳି ସକ୍ରିୟ ହୋଇଛି । ତେଣୁ ଆଗକୁ କେତେଦିନ ବିଏମସି ଏହି ଚଢଉ ଜାରି ରଖିବ ତାହା ଏବେ ଦେଖିବାର କଥା । ତେବେ ଚଢଉ ସମୟରେ ବିଏମ୍‍ସି ଖାଦ୍ୟ ସାମଗ୍ରୀ ଅପେକ୍ଷା ଯେଭଳି ପଲିଥିନ୍‍ ଉପରେ ଗୁରୁତ୍ୱ ଦେଇଛି ତାହାକୁ ନେଇ ମଧ୍ୟ ଲୋକେ ନାକ ଟେକୁଛନ୍ତି । ବର୍ଷ ସାରା ପଲିଥିନ୍‍ ବିରୁଦ୍ଧରେ ଅଭିଯାନ ଚଳାଉଥିବା ବିଏମ୍‍ସି ଅଞ୍ଚଳରେ ଏତେ ପଲିଥିନ୍‍ କେଉଁଠୁ ଆସୁଛି ବୋଲି ଅନେକ ପ୍ରଶ୍ନ ବି କରୁଛନ୍ତି ।

ତେବେ ବିଏମ୍‍ସିର ଆଜିର ଏହି ଚଢଉକୁ ନେଇ ରାଜଧାନୀବାସୀ କିଛି ପରିମାଣରେ ସନ୍ତୁଷ୍ଟ ଥିବାବେଳେ ଚଢଉ ବର୍ଷସାରା ଜାରି ରଖିବା ସହିତ ରାସ୍ତାକଡ ଉଠାଦୋକାନୀଙ୍କ ଠାରୁ ଆରମ୍ଭକରି ତାରକା ହୋଟେଲ ଏବଂ ସହରରେ ଖାଦ୍ୟ ବେପାର ଚଳାଇଥିବା ମନ୍ଦିର ଗୁଡିକରେ ନିୟମିତ ଯାଞ୍ଚ ପାଇଁ ମତ ଦେଇଛନ୍ତି । ନହେଲେ ବିଏମ୍‍ସର ଦୀପାବଳୀ ପୂର୍ବର ଏହି କାର୍ଯ୍ୟାନୁଷ୍ଠାନ ଫୁସୁକା ବାଣ ଭଳି ହୋଇଯିବ ।